
କଟକ : ମହାନଦୀ ଫୁଲୁଛି। ଯାହାଫଳରେ ମହାନଦୀରେ ବନ୍ୟା ଆଶଙ୍କା ଦେଖାଯାଇଛି। କଟକ ଯୋବ୍ରା ନଦୀବନ୍ଧ ରାସ୍ତା ପାଚେରୀ ଭାଙ୍ଗିଯାଇ ବନ୍ୟାଜଳ ‘ମୋ କଟକ’ ରାସ୍ତାକୁ ପ୍ରବେଶ କରିଛି। ଯାହାଫଳରେ ଯୋବ୍ରା ଏକତରଫା ରାସ୍ତା ବନ୍ୟାଜଳରେ ବୁଡି ଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀକୂଳରେ ଯିବା ପାଇଁ ନାନା କଟକଣା ଜାରି କରାଯାଇ ଲୋକଙ୍କୁ ସତର୍କ କରିଦିଆଯାଇଛି। ମଙ୍ଗଳବାର ରାତି ସୁଦ୍ଧା ମୁଣ୍ଡଳୀ ବ୍ୟାରେଜରେ ୬.୩୭ ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ମହାନଦୀରେ ଅଧିକ ବନ୍ୟାଜଳ ପ୍ରବାହିତ ହେଉଛି। ମହାନଦୀର କେତେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟାପାଣି ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଇତି ମଧ୍ୟରେ ମହାନଦୀର କେତେକ ଶାଖା ନଦୀରେ ବନ୍ୟା ଦେଖାଗଲାଣି। ମୁଣ୍ଡଳୀରେ ଆଜି ସକଳ ସୁଦ୍ଧା ୭.୩୨ ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଗକୁ ଲଗାଣ ବର୍ଷା ହେଲେ କଟକ ଜିଲ୍ଲାରେ ବନ୍ୟର ସମ୍ଭାବନା ରହିଛି। ନଦୀକୂଳ, ତଳିଆ ଅଞ୍ଚଳ ଓ ନଦୀବନ୍ଧ ଦୁର୍ବଳ ଥିବାରୁ ଏହାକୁ ନେଇ ନାନା ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ଯୋଗୁ ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର ଲେଭଲ କ୍ରସିଂ ନିକଟରେ ଏକ ଘାଇ ସୃଷ୍ଟି ହୋଇଛି ଯାହା ଫଳରେ କଟକରୁ ଜଗତସିଂପୁର ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଏପର୍ଯ୍ୟନ୍ତ ରାସ୍ତା ନିରମାନର କୌଣସି ସୁବିଧା କରାଯାଇ ପାରିନାହିଁ। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳ ନିଷ୍କାସନରେ ବିଳମ୍ବ ଘଟୁଛି। ମହାନଦୀର ତଳିଆ ଅଞ୍ଚଳ ଓ ବନ୍ୟାପ୍ରବଣ ଅଞ୍ଚଳର ବାସିନ୍ଦା, କୃଷକ ଓ ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ନଦୀକୂଳରେ ଥିବା ଧାର୍ମିକ ପୀଠକୁ ଯିବା ପାଇଁ ବାରଣ କରାଯାଇଛି। ବନ୍ୟାଜଳ ଦେଖିବା ପାଇଁ ମହାନଦୀ ଓ କାଠଯୋଡି ନଦୀବନ୍ଧରେ ଦେଖଣାହାରୀଙ୍କ ଭିଡ ଜମିଲାଣି। ଆଉ କିଛି ଦିନ ପରେ ବୋଲବମ ପର୍ବ ଆରମ୍ଭ ହୋଇଯିବ। ତେଣୁ ଗଡଗଡିଆ ଘାଟରୁ କାଉଡିଆମାନେ ଜଳ ସଂଗ୍ରହ କରିବା ନେଇ ନାନା ଆଶଙ୍କା ପ୍ରକାଶ ପାଇଛି।