କଟକ, ତା. ୨୯.୦୭.୨୦୨୬ : ମହାମହିମ ରାଷ୍ଟ୍ରପତିଙ୍କ ଆସନ୍ତା ୦୩ ଅଗଷ୍ଟ ୨୦୨୬ ତାରିଖରେ ବାଙ୍କୀସ୍ଥିତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଗସ୍ତ ଏବଂ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବିଏନଏସଏସ (BNSS) ଆଇନ, ୨୦୨୩ର ଧାରା ୧୪(୧) ଓ ଧାରା ୧୬୩ ଅନୁଯାୟୀ ଆଦେଶ ଜାରି କରିଛନ୍ତି । ୦୧ ଅଗଷ୍ଟ ୨୦୨୬ ତାରିଖଠାରୁ ରାଷ୍ଟ୍ରପତିଙ୍କ କଟକ ଜିଲ୍ଲା ଗସ୍ତ ସମାପ୍ତି ପର୍ଯ୍ୟନ୍ତ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ପରିସର, ହେଲିପ୍ୟାଡ୍, ନିର୍ଦ୍ଧାରିତ ସୁରକ୍ଷିତ ସ୍ଥାନ, ଭିଭିଆଇପି ରୁଟ୍ ଏବଂ ସମ୍ପୃକ୍ତ ସୁରକ୍ଷା ସମ୍ବେଦନଶୀଳ ଅଞ୍ଚଳକୁ ‘ନୋ ଡ୍ରୋନ୍/ନୋ ଫ୍ଲାଇଂ ଜୋନ୍’ ଭାବେ ଘୋଷଣା କରାଯାଇଛି। କାର୍ଯ୍ୟକ୍ରମର ସୂଚାରୁ ପରିଚାଳନା ନିମନ୍ତେ କାର୍ଯ୍ୟକ୍ରମ ସ୍ଥଳୀ ଓ ଏହାର ଆଖପାଖ ଅଞ୍ଚଳରେ ପାରା ଗ୍ଲାଇଡର୍, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, , UAV କିମ୍ବା ଡ୍ରୋନ୍ ଉଡ଼ାଣକୁ ନିଷେଧ କରାଯାଇଛି । ଏହି ଆଦେଶର ଉଲ୍ଲଂଘନ କଲେ ନିଷିଦ୍ଧ ଉପକରଣଗୁଡ଼ିକୁ ଜବତ କରାଯିବା ସହିତ ଡ୍ରୋନ୍ ନିୟମ, ୨୦୨୧, ଏୟାରକ୍ରାଫ୍ଟ ଆଇନ, ୧୯୩୪ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନଗତ ବ୍ୟବସ୍ଥା ସମେତ ପ୍ରଯୁଜ୍ୟ ଆଇନର ବ୍ୟବସ୍ଥା ଅନୁଯାୟୀ ଦଣ୍ଡବିଧାନ କରାଯିବ। ଏଣୁ, ସମସ୍ତ ବ୍ୟକ୍ତି ଏବଂ ସଂଗଠନ ଏହି ଆଦେଶକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶର ସଫଳ କାର୍ଯ୍ୟକାରିତା ଓ ସମନ୍ୱୟ ପାଇଁ ବାଙ୍କୀ ଉପଜିଲ୍ଲାପାଳଙ୍କୁ ନୋଡାଲ୍ ଅଫିସର ଭାବେ ନିଯୁକ୍ତ କରାଯାଇଛି। ନୋଡାଲ୍ ଅଧିକାରୀଙ୍କ ପୂର୍ବ ଲିଖିତ ଅନୁମତି ବିନା ନିର୍ଦ୍ଦିଷ୍ଟ ଅଞ୍ଚଳ ଓ ଅବଧି ମଧ୍ୟରେ କୌଣସି ପ୍ରକାର ଡ୍ରୋନ୍ କିମ୍ବା UAV ପରିଚାଳନାକୁ ଅନୁମତି ଦିଆଯିବ ନାହିଁ।