

କଟକ : ଆଜି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବାହୁଡ଼ାଯାତ୍ରା। ଦୀର୍ଘ ଏକ ସପ୍ତାହ ଧରି ପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ମା ସୁଭଦ୍ରାଙ୍କ ସହ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଅବସ୍ଥାପିତ ହେବା ପରେ ଆଜି ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି l ଘଣ୍ଟ ଘଣ୍ଟା ହରିବୋଲ ଓ ହୁଳହୁଳି ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।କଟକର ବିଭିନ୍ନ ଜଗନ୍ନାଥ ମନ୍ଦିର ରେ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଛି। କଟକ ଦୋଳମୁଣ୍ଡାଇ ସ୍ଥିତ ପତିତ ପାବନଜୀଉ ଜଗନ୍ନାଥ ମନ୍ଦିର, ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର, ରାଣୀହାଟ ବଳଭଦ୍ର ଜଗନ୍ନାଥ ମନ୍ଦିର, ମହାନଦୀ ବିହାର ଓ ଯୋବ୍ରା ଜଗନ୍ନାଥ ମନ୍ଦିର ଏବଂ ସହରର ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିର ଗୁଡିକରେ ଶାନ୍ତି ଶୃଙ୍ଖଳା ଓ ଉତ୍ସାହ ମଧ୍ୟରେ ପ୍ରଭୁଙ୍କର ବାହୁଡ଼ାଯାତ୍ରା ସମ୍ପନ୍ନ ହୋଇଛି l ସହରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଭିନ୍ନ ଭିନ୍ନ ସମୟରେ ପ୍ରଭୁଙ୍କର ସମସ୍ତ ନୀତିକାନ୍ତି ପରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିଲା l ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରରେ ପ୍ରାତଃ ତିନିଟା ରେ ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଇତ୍ୟାଦି ସମ୍ପନ୍ନ ହୋଇ ରଥ ଶୋଧନ ସମ୍ପନ୍ନ ହୋଇ ଦିନ ଦଶଟା ପରେ ବାହୁଡା଼ ପହଣ୍ଡି ଅନୁଷ୍ଠିତ ହୋଇଥିଲା l ତିନି ଠାକୁର ପହଣ୍ଡି ବିଜେ ପରେ ଛେରା ପହଁରା ଅନୁଷ୍ଠିତ ହୋଇ ଅପରାହ୍ନ ଦୁଇଟା ପରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିଲା l ସେହିଭଳି ଦୋଳମୁଣ୍ଡାଇ ପତିତପାବନ ଜୀଉ ଜଗନ୍ନାଥ ମନ୍ଦିର, ରାଣୀହାଟ ବଳଭଦ୍ର ଜୀଉ ମନ୍ଦିର, ମହାନଦୀ ବିହାର ଓ ଯୋବ୍ରା ଜଗନ୍ନାଥ ମନ୍ଦିର ପ୍ରମୁଖ ଜଗନ୍ନାଥ ମନ୍ଦିରରେ ଅପରାହ୍ନରେ ସମସ୍ତ ନୀତିକାନ୍ତି ପରେ ପ୍ରଭୁଙ୍କର ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିଲା l ଆଜି ବାହୁଡ଼ାଯାତ୍ରା ଦେଖିବା ପାଇଁ ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କର ସମାଗମ ହୋଇଥିଲା l ବାହୁଡ଼ାଯାତ୍ରା ଅବସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା l ପନ୍ଦର ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇଥିଲା l ରଥଟଣାବେଳେ ବିଭିନ୍ନ ସ୍ବେଚ୍ଛାସେବୀ ସମସ୍ତ ପ୍ରକାର ସହଯୋଗ କରିଥିଲେ l ସହରର ବିଭିନ୍ନ ଜଗନ୍ନାଥ ମନ୍ଦିର ପକ୍ଷରୁ ବାଜା, ନୃତ୍ୟ ଏବଂ ହୁଳହୁଳି ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରୁ ବାହାରି ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଆଜି କଟକରେ ଶାନ୍ତି ଶୃଙ୍ଖଳାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବାହୁଡା଼ଯାତ୍ରା ସମ୍ପନ୍ନ ହୋଇଛି l