ସାଗର କୂଳରେ ଜାହାଜ

ସାଗର କୂଳରେ ଜାହାଜ ଲାଗିଛି
ବସିଛି ଚାଳକ ଭାଇ,
ଏପାରି ସେପାରି କରୁଅଛି ସେହି
ନାମ ତା’ କଳା-କହ୍ନେଇ ।

ଆସିଅଛୁ ମନ ଏପାରିକୁ ତୁହି
ବଣିଜ ବେପାର ପାଇଁ ,
ବେପାର ସରିଲେ ଯିବୁରେ ବାଇଆ
ଲାଭ କ୍ଷତି ତୋ’ର ନେଇ,
କହରେ ବଣିକ ରଖିଯିବୁ କିସ
ତୋ’ ପର ଜନମ ପାଇଁ…. (୧)

ହୋଇଥିବୁ ଯଦି ସଚ୍ଚା ବଣିକରେ
ଟିକସ ଫାଙ୍କିବୁ ନାହିଁ ,
କଳା-କହ୍ନେଇର ଜାହାଜରେ ବସି
ଆନନ୍ଦରେ ଯିବୁ ତୁହି ,
ପୁଣି କେତେଥର ପାଇବୁ ଟିକେଟ
(ଏହି) ବଣିଜ ବେପାର ପାଇଁ…. (୨)

ଫାଙ୍କିବୁରେ ଯଦି ଟିକସ ତୋହର
ଲାଭକୁ ମୁଣାରେ ନେଇ ,
କହ୍ନାଇ ଜାହାଜ ନ ପାଇବୁ ତୁହି
ସେପାରିକୁ ଯିବା ପାଇଁ ,
ଧୀବର ଜାଲରେ ଟାଣି ହୋଇ ଯିବୁ
ଆଉ ତୁ ଆସିବୁ ନାହିଁ…. (୩)

ଶମ୍ଭୁନାଥ ଦାସ
କୋଲକାତା

Leave a Reply

Your email address will not be published. Required fields are marked *