
ରାଜଗାଙ୍ଗପୁର (କ.ବ୍ୟୁ) : କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଏକ ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିବା ୨ ଅଭିଯୁକ୍ତଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖତକୁରବାହାଲ ଗ୍ରାମର ମହମ୍ମଦ ହାନାନ (୨୧) ଓ ମହମ୍ମଦ ତଫସିର (୧୯) । ସୁନ୍ଦରଗଡ଼ ଏସପିଙ୍କ ତତ୍ତ୍ୱାବଧାନରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ଟି ଦଳ ଗଠନ କରାଯାଇଥିଲା ବେଳେ ଘଟଣାର ଦିନକ ମଧ୍ୟରେ ଏହି ମାମଲାରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ମୋଟରସାଇକେଲ ଜବତ କରିଛି । ଏହି ଗୁଳି କାଣ୍ଡ ଘଟଣାରେ ସଂପୃକ୍ତ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଥିବା ଜଣାପଡିଛି । ପ୍ରକାଶ ଥାଉକି ଗୁରୁବାର ଭୋର୍ରୁ ଖତକୁରବାହାଲରୁ ପଥର ଚିପ୍ସ ବୋଝେଇ ହାଇଓ୍ବା (ଜେଏଚ୍ ୦୭ କେ ୪୧୫୨) ନେଇ ଡ୍ରାଇଭର ବନାରସି ଓରାମ(୨୩) ଯାଉଥିଲେ। ଲିଟିବେଡ଼ା ଛକ ନିକଟ ଏକ ନିଛାଟିଆ ସ୍ଥାନରେ ଦୁଇଟି ବାଇକ୍ରେ ପାଞ୍ଚଜଣ ଦୁର୍ବୃତ୍ତ ଆସି ହାଇଓ୍ବା ଉପରକୁ ଅତର୍କିତ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ସୌଭାଗ୍ୟବଶତଃ ଡ୍ରାଇଭର ଏବଂ ହାଇୱା ରେ ବସିଥିବା ମାଲିକଙ୍କ ଭାଇ ଅଳ୍ପକେ ବର୍ତିଯାଇଥିଲେ । ଆଜି ପୁଲିସ ଅଭିଯୁକ୍ତ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )