ଓଡ଼ିଶା ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାତୃ ମୃତ୍ୟୁହାର ହ୍ରାସ ସହ ବିକାଶ ସୂଚକରେ ଶତପ୍ରତିଶତ ସଫଳତା ହାସଲ ପାଇଁ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ

ବାରିପଦା(କ: ଵ୍ଯୁ)ତା୩୦/୦୬/୨୦୨୬
ଓଡ଼ିଶା ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟବ୍ୟାପୀ ସରକାରୀ ଜନସମ୍ପର୍କ ଓ ସହଭାଗିତା କାର୍ଯ୍ୟକ୍ରମ ଅନ୍ତର୍ଗତ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ଆଜି ବାରିପଦାସ୍ଥିତ ସହୀଦ ସ୍ମୃତି ଭବନଠାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍‌, ମୟୂରଭଞ୍ଜ ପକ୍ଷରୁ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ଆକାଂକ୍ଷୀ ବ୍ଲକ୍‌ଗୁଡ଼ିକରେ ବିକାଶ ସୂଚକର ଉନ୍ନତି, ବିଭାଗୀୟ ସମନ୍ୱୟ ଏବଂ ଜନସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

         କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ମୟୂରଭଞ୍ଜ ଶ୍ରୀ ଧର୍ମାନନ୍ଦ ବେହେରା ସଭାପତିତ୍ୱ କରିଥିଲେ । ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ହେମକାନ୍ତ ସୟ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବ୍ଲକ୍‌ରୁ ଆସିଥିବା ଅଙ୍ଗନୱାଡ଼ି କର୍ମୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ସେ ବିଶେଷକରି ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ଉନ୍ନତି ଏବଂ କ୍ଷେତ୍ରସ୍ତରରେ ସମସ୍ତ ସରକାରୀ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ ।

          ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୮ଟି ଆକାଂକ୍ଷୀ ବ୍ଲକ୍‌ର ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବ୍ଲକ୍ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

          ଠାକୁରମୁଣ୍ଡା ବ୍ଲକ୍‌ର ଆସ୍ପିରେସନାଲ୍ ବ୍ଲକ୍ ଫେଲୋ ଶ୍ରୀ ତପସ କୁମାର ଦାସ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, କାର୍ଯ୍ୟଧାରା ଏବଂ ବିଭିନ୍ନ ପ୍ରମୁଖ ବିକାଶ ସୂଚକ ସମ୍ପର୍କରେ ଏକ ବିସ୍ତୃତ ପାୱାର ପଏଣ୍ଟ ଉପସ୍ଥାପନା ପ୍ରଦାନ କରିଥିଲେ । ଏହାକୁ ଆଧାର କରି ସ୍ୱାସ୍ଥ୍ୟ, ପୁଷ୍ଟି, ଶିକ୍ଷା, କୃଷି, ପାନୀୟ ଜଳ, ଜୀବିକା ଓ ମହିଳା ସଶକ୍ତିକରଣ ସମେତ ବିଭିନ୍ନ କ୍ଷେତ୍ରର ବିକାଶ ସୂଚକଗୁଡ଼ିକର ଅଗ୍ରଗତି ଏବଂ ସେଗୁଡ଼ିକର ଆହୁରି ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

          କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲୋକନାଥ ମିଶ୍ର, ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡ଼. ନରେଶ ଚନ୍ଦ୍ର ଜେନା, ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ମୁଖ୍ୟ ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବିଶ୍ୱାଳ, ଆର୍‌.ଡବ୍ଲ୍ୟୁ.ଏସ୍‌.ଏସ୍‌, ରାଇରଙ୍ଗପୁର ଖଣ୍ଡର ଅଧିକାରୀ ଶ୍ରୀ ଅଭିମନ୍ୟୁ ଜେନା, ଡେପୁଟି ଜେନେରାଲ୍ ମ୍ୟାନେଜର (ଡି.ଜି.ଏମ୍‌) ଶ୍ରୀମତୀ ସେବତୀ କର ଏବଂ ଯୁଗ୍ମ ନିର୍ଦ୍ଦେଶକ, ଡି.ପି.ଏମ୍‌.ୟୁ. ଶ୍ରୀ ଲେମ୍ବ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗ ସମ୍ପର୍କିତ ବିକାଶ ସୂଚକଗୁଡ଼ିକର ଅଗ୍ରଗତି ଉପସ୍ଥାପନ କରିବା ସହ ଆକାଂକ୍ଷୀ ବ୍ଲକ୍‌ଗୁଡ଼ିକରେ ଶତପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ସମନ୍ୱିତ କାର୍ଯ୍ୟପନ୍ଥା ଉପରେ ମତ ବିନିମୟ କରିଥିଲେ 

ଡଃ ଗାୟତ୍ରୀ ସାହୁ, ସହକାରୀ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍‌, ମୟୂରଭଞ୍ଜ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବା ବେଳେ ପରିଶେଷରେ ଶ୍ରୀ ବିଜୟ କୁମାର ମଣ୍ଡଳ, ଏସ୍‌.ଇ.ଆଇ., ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍‌, ମୟୂରଭଞ୍ଜ ସମସ୍ତ ଅତିଥି, ଅଧିକାରୀ ଏବଂ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଦୀନବନ୍ଧୁ ବାରିକ
,(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *