ସ୍ନାନ ପୂର୍ଣ୍ଣିମା ଅବସରରେ ପରିବହନ ବିଭାଗର କଡ଼ା ପ୍ରବର୍ତ୍ତନ: ୯୫ ଚାଲାଣ, ₹୯.୮୫ ଲକ୍ଷରୁ ଅଧିକ ଜରିମାନା

ପୁରୀ, (୨୯ ଜୁନ, ୨୦୨୬) (କ ବ୍ୟୁ) : ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଯାତ୍ରାକୁ ସୁରକ୍ଷିତ, ସୁଗମ ଏବଂ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ପରିବହନ ବିଭାଗ ପକ୍ଷରୁ ପୁରୀକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ରାସ୍ତା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଯାନବାହନ ଯାଞ୍ଚ ଅଭିଯାନ କରାଯାଇଛି।

ଏହି ଅଭିଯାନରେ ପରିବହନ ବିଭାଗର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ମୋଟରଯାନ ଆଇନ ଉଲ୍ଲଂଘନ କରୁଥିବା ଯାନବାହନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୋଟ ୯୫ଟି ଚାଲାଣ କଟାଯାଇ ₹୯,୮୫,୯୧୫ ଟଙ୍କାର ଜରିମାନା ଧାର୍ଯ୍ୟ କରାଯାଇଛି।

ଅତ୍ୟଧିକ ଯାତ୍ରୀ ପରିବହନ, ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଭଡ଼ା ଆଦାୟ, ବିନା ଲାଇସେନ୍ସ କିମ୍ବା ବୈଧ କାଗଜପତ୍ରରେ ଯାନ ଚଳାଚଳ ଏବଂ ମୋଟରଯାନ ଆଇନର ଅନ୍ୟାନ୍ୟ ଉଲ୍ଲଂଘନ ବିରୋଧରେ ଏହି କଡ଼ା ପ୍ରବର୍ତ୍ତନ କରାଯାଇଛି।

ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଯାତାୟାତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏଭଳି ଯାଞ୍ଚ ଓ ପ୍ରବର୍ତ୍ତନ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

“ଟ୍ରାଫିକ ନିୟମ ପାଳନ କରନ୍ତୁ, ଜୀବନ ବଞ୍ଚାନ୍ତୁ।”
(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *