କବାଡି ଅଫିସିଆଲ ପରୀକ୍ଷା ଆୟୋଜିତ

କଟକ, ୨୮/୦୬- ଆଗାମୀ ଦିନରେ ବିଭିନ୍ନ ବର୍ଗର ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତାର ସୁପରିଚାଳନା ପାଇଁ ଓଡିଶା ରାଜ୍ୟ କବାଡି ସଂଘ ତରଫରୁ ଗତ ୨୦୨୫ ମସିହା ଜୁଲାଇ ଓ ଅଗଷ୍ଟ ମାସରେ ରାଜ୍ୟର ବାରିପଦା ଓ କେନ୍ଦୁଝର ଠାରେ ରାଜ୍ୟ ସ୍ତରୀୟ କବାଡି ଅଫିସିଆଲ ପରୀକ୍ଷା ଆୟୋଜିତ ହୋଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିବାସହ ସଫଳତା ହାସଲ କରିଥୁବା ନୂତନ କବାଡି ପରିଚାଳକ ଓ ପରିଚାଳିକା ମାନଙ୍କୁ ବାରବାଟି ଷ୍ଟାଡିୟମସ୍ଥିତ ଅତିଥୁଗୃହ ସମ୍ମିଳନୀ କକ୍ଷରେ ସମ୍ବଦ୍ଧନା ଦିଆଯିବା ସହ ଡିପ୍ଲୋମା ସାର୍ଟିଫିକେଟ ଓ କବାଡି କିଟ୍ ପ୍ରଦାନ କରାଯାଇଥିଲା । ଏଥିରେ ରାଜ୍ୟବ୍ୟାପି ବିଭିନ୍ନ ଜିଲ୍ଲାରୁ ମୋଟ ୨୭୬ ଜଣ ପୁରୁଷ ଓ ମହିଳା ଅଫିସିଆଲ ମାନେ ଯୋଗ ଦେଇଥିବା ବେଳେ ଓଡିଶା ଅଲମ୍ପିକ ଆସୋସିଏସନ ସମ୍ପାଦକ ଅଭିଜିତ ପାଲ ମୁଖ୍ୟ ଅତିଥୁ, ଜାତୀୟ କବାଡି ମହାସଂଘ ଯୁଗ୍ମ ସମ୍ପାଦିକା ଜୟଶ୍ରୀ ସ୍ବାଇଁ ଓ ରାଜ୍ୟ କବାଡି ସଂଘ ଅଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ ସମ୍ମାନୀତ ଅତିଥୁ ଏବଂ ରେଫାରୀ ବୋର୍ଡ ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ କୃତିତ୍ୱ ଅର୍ଜନକାରୀ ଅଫିସିଆଲ ମାନଙ୍କୁ ସାର୍ଟିଫିକେଟ ଓ ପରିଚୟ ପତ୍ର ପ୍ରଦାନ କରିଥିଲେ । ରାଜ୍ୟସଂଘ ଉପାଧ୍ଯକ୍ଷ ତଥା ରେଫାରୀ ବୋର୍ଡ ସଂଯୋଜକ ପୃଥ୍ୱୀରାଜ ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କବାଡି ସଂଘ ସମ୍ପାଦକ ଅଜୟ କୁମାର ବେହେରା ଉପସ୍ଥିତ ସମସ୍ତ କବାଡି ଅଫିସିଆଲ, ରାଜ୍ୟ ସଂଘ କର୍ମକର୍ତା ଓ ଗଣମାଧ୍ୟମ ପ୍ରତିନିଧୂ ମାନଙ୍କୁ ସ୍ବାଗତ କରିବାସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘ ଉପସଭାପତି ବିରେନ୍ଦ୍ର କୁମାର ସ୍ବାଇଁ, କୋଷାଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନ ଓ ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି ପ୍ରମୁଖ ନିମନ୍ତ୍ରୀତ ଅତିଥି ଭାବେ ମଂଚାସୀନ ରହିଥିଲେ । ତେହି ପରିପ୍ରେକ୍ଷୀରେ ରାଜ୍ୟ କବାଡି ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ଦିନର ପ୍ରସ୍ତାବିତ “ଓଡିଶା ପ୍ରୋ-କବାଡି ଲିଗ୍” ଓ “ରାଜ୍ୟସ୍ତରୀୟ କନିଷ୍ଠ ବାଳକ ଓ ବାଳିକା କବାଡି ପ୍ରତିଯୋଗିତା” ପାଇଁ ସ୍ଥିରକୃତ ହୋଇଥିବା ବେଳେ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ କବାଡି ଖେଳର ବ୍ୟାପକ ପ୍ରଚାର ପ୍ରସାର ଓ ଖେଳାଳି ଚୟନ ପାଇଁ ବିଭିନ୍ନ କାର୍ଯ୍ୟଖସଡା ପ୍ରସ୍ତୁତ ହୋଇଥିଲା । ସେହିପରି ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ବିଭିନ୍ନ କବାଡି କ୍ରୀଡା ଶୃଙ୍ଖଳାରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିବାରୁ ବୈଠକରେ ସାଧୁବାଦ ଜ୍ଞାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *