ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ପୋଲିଓ ଦିବସ ପାଳିତ

କଟକ, ୨୮ ଜୁନ:
ବିଶ୍ୱ ପୋଲିଓ ଦିବସ ଅବସରରେ ରବିବାର ଚାଉଳିଆଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିଓ ନିରାକରଣ ସଚେତନତା କାର୍ଯ୍ୟକ୍ରମ ସହ ପୋଲିଓ ଟିକାକରଣ ଅଭିଯାନ ଅନୁଷ୍ଠିତ ହୋଇଥିଲା। “ପୋଲିଓକୁ ଜୟ କରିବା ପାଇଁ ପ୍ରତ୍ୟେକ ଥର ଦୁଇ ବୁନ୍ଦା” ବାର୍ତ୍ତାକୁ ନେଇ ଅଭିଭାବକମାନଙ୍କୁ ସଚେତନ କରାଯାଇଥିଲା ଏବଂ ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ପୋଲିଓ ଟିକା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କଟକ ସିଏମସି କମିଶନର କିରଣଦୀପ କୌର ସାହୋତା, ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସତ୍ୟବ୍ରତ ମହାପାତ୍ର, ସିଏମସି ସ୍ୱାସ୍ଥ୍ୟ କମିଟିର ଅଧ୍ୟକ୍ଷା ଦୀପ୍ତିମୟୀ ମୁଲିଆ, ୪୨ ନମ୍ବର ୱାର୍ଡ କର୍ପୋରେଟର ମୀନା ସାହୁ ଏବଂ କର୍ପୋରେଟର ଟୁଟୁ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କୁ ପୋଲିଓ ଟିକା ଖୁଆଇବା ସହ ଅଭିଭାବକଙ୍କୁ ନିୟମିତ ଭାବେ ପୋଲିଓ ଟିକା ଦେବା ପାଇଁ ଆହ୍ୱାନ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ପୋଲିଓମୁକ୍ତ ସମାଜ ଗଠନ ପାଇଁ ପ୍ରତ୍ୟେକ ଶିଶୁଙ୍କୁ ନିର୍ଦ୍ଧାରିତ ସମୟରେ ପୋଲିଓ ଟିକା ଦେବା ଅତ୍ୟନ୍ତ ଜରୁରୀ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ବହୁ ଅଭିଭାବକ ଯୋଗଦେଇ ଅଭିଯାନକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *