ଭିଡ଼ ହିଂସା ସ୍ଥଳ ପରିଦର୍ଶନ କଲେ ଆଦିବାସୀ ନେତ୍ରୀ ବିଦୁଲତା ହୁଇକା , ରାମଚନ୍ଦ୍ର ଓ ନିରଞ୍ଜନଙ୍କୁ ସାବାସି ଦେଲେ

ରାୟଗଡ଼ା: ରାୟଗଡ଼ର ବିଶିଷ୍ଠ ସମାଜ ସେବୀ ତଥା ଆଦିବାସୀ ନେତ୍ରୀ ବିଦୁଲତା ହୁଇକା ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା, ଅଜୟ ରଥ, ଅକ୍ଷୟ ପିଡିଶିକା, ତପନ କାଡ୍ରାକାଙ୍କ ସହ ଭିଡ଼ ହିଂସା ସ୍ଥଳ ପରିଦର୍ଶନ କରିଛନ୍ତି। ଇନ୍ତାଲିଗୁଡ଼ା ଠାରେ କିଛି ଲୋକଙ୍କ ସହ ଆଲୋଚନା କରି ପରିସ୍ଥିତି ଉପରେ ଅବଗତ ହୋଇଛନ୍ତି ଆଦିବାସୀ ନେତ୍ରୀ ବିଦୁଲତା ହୁଇକା । ଗାଁ ନିକଟରେ ଥିବା ଆମ୍ବ ଗଛ ନିକଟ ଭିଡ ହିଂସା ସ୍ଥଳ ଅନୁଧ୍ୟାନ କରିଛନ୍ତି । ସେହିବସ୍ଥଳରେ ହଳେ ଜୋତା ବର୍ତ୍ତମାନ ପର୍ଯ୍ୟନ୍ତ ପଡ଼ିଥିବା ଦେଖିଛନ୍ତି । ସେମାନେ ଆସିଲା ପରେ ଜିଲ୍ଲା ଏସ ପି ତାଙ୍କ ଟିମ୍ ସହ ସେଇ ସ୍ପଟ୍ ନିରୀକ୍ଷଣ କରୁଥିବାର ପରିଲକ୍ଷିତ ହୋଇଛି । ଯୁବତୀଙ୍କ ସହ ଥିବା ଯୁବକଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା । ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣକ ଅନ୍ଧାର ମଧ୍ୟରେ ଲୁଚି ଖାଲି ପାଦରେ ବିଲ ଭିତରେ ଦୌଡି ପଳାଇ ଆସିଥିଲେ ନିକଟରେ ଥିବା ଏକ ଇଲେକ୍ଟ୍ରିକ ସବ୍ ଷ୍ଟେସନ୍ ପାଖକୁ । କାକୁତି ମିନତି ହୋଇ ସେଠାରେ ଥିବା କର୍ମଚାରୀମାନଙ୍କୁ ତାଙ୍କୁ ନିକଟସ୍ଥ ପୋଲିସ୍ ଷ୍ଟେସନ୍ ରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ । ନିଜର ଜୀବନକୁ ବିପନ୍ନ କରି ଭିଡ଼ ହିଂସାକୁ ଅତିକ୍ରମ କରି ତାକୁ ଲୁଚାଇ ମଟର ସାଇକେଲ ରେ ମଝିରେ ବସାଇ ସାହାସୀ ଦୁଇ ଆଦିବାସୀ ଯୁବକ ନିରଞ୍ଜନ ତାଡ଼ିଙ୍ଗ ଓ ରାମଚନ୍ଦ୍ର ପାଲକା କଲ୍ୟାଣସିଙ୍ଗପୁର ଥାନା ସମ୍ମୁଖରେ ଛାଡ଼ି ଆସିଥିବାରୁ ସେଇ ଯୁବକର ଜୀବନ ବଞ୍ଚିଯାଇଛି । ପରେ କିନ୍ତୁ ଶହ ଶହ ଲୋକ ବିଦ୍ୟୁତ୍ ସବ୍ ଷ୍ଟେସନ୍ ରେ ପହଞ୍ଚି ସେଠାରେ ଉକ୍ତ ଯୁବକକୁ ନପାଇ ଭଙ୍ଗାରୁଜା କରିଥିଲେ । ସେଠାରେ ପୋଲିସ୍ ଉପସ୍ଥିତ ରହିଥିବା ଜଣା ପଡ଼ିଛି।
ସାହାସି ଆଦିବାସୀ ଯୁବକ ରାମଚନ୍ଦ୍ର ବିଦ୍ୟୁତ୍ ସବ୍ ଷ୍ଟେସନ୍ ରେ ଇଲେକ୍ଟ୍ରିସିଆନ୍ ଭାବେ କାମ କରନ୍ତି । ସେଇ ଦୁଇ ଜଣ ନିକଟସ୍ଥ ବିନିସପୁର ଗ୍ରାମର, ଯେଉଁ ଗ୍ରାମରେ ଇଂରେଜ ସୈନ୍ୟଙ୍କୁ ତତଲା ମାଣ୍ଡିଆ ଜାଉ ଫିଙ୍ଗି ପୋଲିସ୍ ଗୁଳିରେ ୭ ଜଣ ଆଦିବାସୀ ଶହୀଦ ହୋଇଥିଲେ ।

ପୁରୁଶୁ ଓ ବଳରାମଙ୍କ ପରେ ରାମଚନ୍ଦ୍ର ଓ ନିରଞ୍ଜନଙ୍କ ବୀରତ୍ୱ ପାଇଁ ସେମାନେ ଧନ୍ୟବାଦର ପାତ୍ର । ଆଲୋଚନାରୁ ହୁଇକା ଜାଣିବାକୁ ପାଇଛନ୍ତି ଯେ ଇନ୍ତାଲିଗୁଡ଼ାର ଆଉ ଦୁଇ ଜଣ ଯୁବକ ମଧ୍ୟ ଉକ୍ତ ଯୁବତୀଙ୍କୁ ଭିଡ଼ ହିଂସାରୁ ବର୍ତ୍ତିବା ପାଇଁ ଯଥାସାଧ୍ୟ ପ୍ରୟାସ କରିଥିଲେ ।
ଏଇ ସମସ୍ତ ଲୋକଙ୍କ ସହ ଗ୍ରାମର ଅନେକ ମହିଳାଙ୍କୁ ଭେଟି ସେମାନେ ଜାଣିବାକୁ ପାଇଛନ୍ତି ଯେ ଏଭଳି ଘଟଣା ପାଇଁ ସମସ୍ତେ ମର୍ମାହତ ଓ ଏହାକୁ ନିନ୍ଦା କରୁଛନ୍ତି । ଯଦିଓ ପୋଲିସ୍ ଭୟରେ ସମସ୍ତେ କାଳାତିପାତ କରୁଛନ୍ତି, ପୋଲିସ୍ କୁ ସହଯୋଗ କରିବାକୁ ନିବେଦନ କରି ସେମାନେ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *