

କଟକ, ତା. ୧୩.୦୬.୨୦୨୬ ରିଖ – ମତଦାତା ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.-୨୦୨୬) ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗତକାଲି କଟକ ସଦର ବିଧାନସଭା ମଣ୍ଡଳୀ ଅନ୍ତର୍ଗତ କିଶନନଗର ଅଞ୍ଚଳରେ ଏକ ସାଇକେଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି।
ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇ.ଆର୍.ଓ.), କଟକ ସଦରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏ.ଇ.ଆର୍.ଓ.), କିଶନନଗରଙ୍କ ଦ୍ୱାରା ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଏସ୍.ଆଇ.ଆର୍. କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ।
ଏହି ଅବସରରେ କିଶନନଗର ତହସିଲ କାର୍ଯ୍ୟାଳୟ ପରିସରରେ ଏକ ସ୍ୱାକ୍ଷର ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ସେଠାରେ ସ୍ଥାପିତ ବୋର୍ଡରେ ଉପସ୍ଥିତ ଜନସାଧାରଣ ସ୍ୱାକ୍ଷର କରି ଏସ୍.ଆଇ.ଆର୍. କାର୍ଯ୍ୟକ୍ରମ ପ୍ରତି ନିଜର ସମର୍ଥନ ପ୍ରତିପାଦନ କରିଥିଲେ। ଏଥିସହ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ଭୁଲ, ସ୍ୱଚ୍ଛ ମତଦାତା ତାଲିକା ପ୍ରସ୍ତୁତି ଏବଂ ଜନସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।