ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବ୍ୟାପକ ଧାରଣା ଓ ସତ୍ୟାଗ୍ରହ ଅନୁଷ୍ଠିତ

କଟକ : ଚାଷୀ ଏବଂ କୃଷକ ନେତାମାନଙ୍କ ନାମରେ ରୁଜୁ ହୋଇଥିବା କଥିତ ମିଥ୍ୟା ମାମଲା ପ୍ରତ୍ୟାହାର ଦାବିରେ ଆଜି କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବ୍ୟାପକ ଧାରଣା ଓ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇ ପୋଲିସ ପ୍ରଶାସନ ବିରୋଧରେ ନାରାବାଜି କରିବା ସହ ଚାଷୀ ଆନ୍ଦୋଳନକୁ ଦମନ କରିବା ପାଇଁ ମାମଲାକୁ ହାତିଆର କରାଯାଉଥିବା ଅଭିଯୋଗ ଆଣିଥିଲେ। ସଂଗଠନର ପ୍ରତିଷ୍ଠାତା ତଥା ବିଶିଷ୍ଟ ଚାଷୀ ନେତା ଅକ୍ଷୟ କୁମାର ଧାରଣାସ୍ଥଳରେ ଯୋଗ ଦେଇ କହିଥିଲେ ଯେ, ଗତ ମାର୍ଚ୍ଚ ୨୨ ତାରିଖରେ ଘଟଗାଁରୁ ଆରମ୍ଭ ହୋଇଥିବା ‘କୃଷକ ଏକତା ପଦଯାତ୍ରା’ ମାର୍ଚ୍ଚ ୩୧ରେ ଭୁବନେଶ୍ୱର ପିଏମଜି ଛକରେ ଏକ ବିଶାଳ ଚାଷୀ ସମାବେଶରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ମାର୍ଚ୍ଚ ୩୦ ତାରିଖରେ ଫୁଲନଖରା ଅଞ୍ଚଳରେ ଶତାଧିକ ଚାଷୀ ଖାଦ୍ୟ ଗ୍ରହଣ କରୁଥିବା ବେଳେ ପୋଲିସ ସେଠାରେ ପହଞ୍ଚି ସମାବେଶକୁ ଅଗଣତାନ୍ତ୍ରିକ, ଶାନ୍ତିଭଙ୍ଗ ଏବଂ ହିଂସାର ଆଶଙ୍କା ଦର୍ଶାଇ ବହୁ ଚାଷୀଙ୍କୁ ବଳପୂର୍ବକ ଉଠାଇ ନେଇ ଗିରଫ କରିଥିଲା। ଏହାସହ ଚାଷୀ ଓ କୃଷକ ନେତାମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ କରାଯାଇ ସେମାନଙ୍କୁ ଜେଲ ପଠାଯାଇଥିବା ଅଭିଯୋଗ କରିଥିଲେ ଅକ୍ଷୟ କୁମାର। ତାଙ୍କ କହିବା ଅନୁଯାୟୀ, ଗତ ଜାନୁଆରୀ, ମାର୍ଚ୍ଚ ଓ ମେ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ ଯୋଜନାବଦ୍ଧ ଭାବେ ମାମଲା ରୁଜୁ କରାଯାଇଥିଲା ଏବଂ ଚାଷୀ ନେତାମାନଙ୍କୁ ହଇରାଣ କରାଯାଇଥିଲା। ସଂଗଠନ ଦାବି କରିଛି ଯେ, ଗଣତାନ୍ତ୍ରିକ ଉପାୟରେ ନିଜ ଅଧିକାର ଓ ଦାବି ଉପସ୍ଥାପନ କରିବା କୌଣସି ଅପରାଧ ନୁହେଁ, ତେଣୁ ଚାଷୀ ଓ କୃଷକ ନେତାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ କଥିତ ମିଥ୍ୟା ମାମଲାକୁ ଅବିଳମ୍ବେ ପ୍ରତ୍ୟାହାର କରାଯାଉ। ଅନ୍ୟପଟେ ଚାଷୀଙ୍କ ଏହି ବିଶାଳ କାର୍ଯ୍ୟକ୍ରମକୁ ନଜରରେ ରଖି ଡିଜି କାର୍ଯ୍ୟାଳୟ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସମଗ୍ର ଅଞ୍ଚଳ ପୋଲିସ ଛାଉଣୀର ରୂପ ନେଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଧାରଣା ଓ ସତ୍ୟାଗ୍ରହ ମାଧ୍ୟମରେ ଚାଷୀମାନେ ସରକାର ଏବଂ ପୋଲିସ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କୃଷକ ଆନ୍ଦୋଳନ ପ୍ରତି ଦମନମୂଳକ ଆଭିମୁଖ୍ୟ ପରିତ୍ୟାଗ କରିବାକୁ ଦାବି ଜଣାଇଛନ୍ତି। ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ।

Leave a Reply

Your email address will not be published. Required fields are marked *