“ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ”

ବାରିପଦା ( କ ବ୍ୟୁ ) ତା୨୦/୦୪/୨୦୨୬ :
ଆଜି ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ କରାଯିବା ସଙ୍ଗେ ସଙ୍ଗେ ଅକ୍ଷିମୁଠି ଅନୁକୂଳ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ । ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକା ଶ୍ରୀମତୀ ସଙ୍ଘମିତ୍ରା ପଟ୍ଟନାୟକ ସ୍ଵାଗତ ଭାଷଣ ଦେବା ସହ ବିଭିନ୍ନ ଯୋଜନା ସମ୍ବନ୍ଧରେ ତାଙ୍କର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଅକ୍ଷୟ ତୃତୀୟା ପାଳନ ସହ ସି.ଏମ କିଶାନର କିସ୍ତି ମଧ୍ୟ ଆଭାସୀ ମାଧ୍ୟମରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କଟକ ଠାରୁ ବଣ୍ଟନ କରିଥିଲେ । ଏହି ଯୋଜନା ମାଧ୍ୟମରେ ଆଜି ଆମ ମୟୂରଭଞ୍ଜ ଜିଲ୍ଲାର ୨,୮୭,୮୪୧ ଜଣ ଚାଷୀ ଉପକୃତ ହୋଇଛନ୍ତି ।
ଏତଦବ୍ୟତୀତ “ ଆମ ବିହନ ରଥ “ ଏବଂ “ କୃଷକ ପଞ୍ଜୀକରଣ ଏବଂ ସନ୍ତୁଳିତ ସାରର ବ୍ୟବହାର “ ନାମକ ଦୁଇଟି ସ୍ଵତନ୍ତ୍ର କୃଷି ରଥକୁ ମଧ୍ୟ ଏହି ଅବସରରେ ଅତିଥିଗଣ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
“ଆମ ବିହନ ରଥ” ଦ୍ୱାରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ୬୦ ଦିନ ବ୍ୟାପୀ ଉଦଳା, କପ୍ତିପଦା, ଖୁଣ୍ଟା, ଗୋପବନ୍ଧୁ ନଗର ଏବଂ ବଡସାହି ବ୍ଲକର ସମସ୍ତ ଗ୍ରାମକୁ ବୁଲି ଚାଷୀଙ୍କ ଦୁଆରରେ ୩୦୦ କ୍ଵିଣ୍ଟାଲ ଉନ୍ନତ ଅମଳକ୍ଷମ ଏବଂ ରୋଗ ପ୍ରତିରୋଧକ ବିହନ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି ।
କୃଷକ ପଞ୍ଜୀକରଣ ଏବଂ ରାସାୟନିକ ସାରର ସନ୍ତୁଳିତ ବ୍ୟବହାର “ ଆଭିମୁଖ୍ୟ ନେଇ ଗଡୁଥିବା ଅନ୍ୟ ଏକ ସ୍ଵତନ୍ତ୍ର “ କୃଷି ରଥ “ ୧୦ ଦିନ ଧରି ଜିଲ୍ଲାର ସମସ୍ତ ବ୍ଲକକୁ ବୁଲି କୃଷକ ପଞ୍ଜୀକରଣ ଏବଂ ରାସାୟନିକ ସାରର ସନ୍ତୁଳିତ ବ୍ୟବହାର ସମ୍ପର୍କରେ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅବଗତ କରାଇବାର ଯୋଜନା ରହିଛି ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଲୋକନାଥ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ ଶ୍ରୀ ଟଙ୍କଧର କାଲୋ, ସହକାରୀ କୃଷି ନିର୍ଦ୍ଦେଶିକା ମଧୁସ୍ମିତା ଜେନା, ସହକାରୀ କୃଷି ଅଧିକାରୀ ରମ୍ଯ ରଞ୍ଜନ ମହାନ୍ତ, ଅର୍ଚନା ବଳା, ବୈଜ୍ଞାନିକା ଝୁନିଲତା ଭୂୟାଁ, ଡଃ ଜଗନ୍ନାଥ ପାତ୍ର, ପ୍ଲାବିତ ରାୟ, ଅଂଶୁମାନ ଦେବାଶିଷ ନାୟକ ଯୋଗ ଦେଇଥିବା ବେଳେ କାର୍ଯ୍ୟାଳୟର ତୁଷାରକାନ୍ତ ମହାନ୍ତି, ମାନସ ରଞ୍ଜନ ମହାନ୍ତି, ସରୋଜ ଦାସ, ରାଜାରାମ ସାହୁ, କାନ୍ତା ପୋଥାଳ ଓ ଦମୟନ୍ତୀ ସିଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ଚାଷୀ ଯୋଗ ଦେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *