
ରାଜଗାଙ୍ଗପୁର :- (କ.ବ୍ୟୁ) ୧୨/୦୪/୨୦୨୬ : – ରାଜ୍ୟରେ ପିଇବା ପାଣି ସମସ୍ୟାର ସ୍ଥାୟୀ ସମାଧାନ ନେଇ ସରକାର ଦୃଢ଼ ପଦକ୍ଷେପ ନେଉଥିବା ବେଳେ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ମେଗା ଜଳ ପ୍ରକଳ୍ପର ସ୍ଥଳ ପରିଦର୍ଶନ କରିଥିଲେ। ବିଶେଷକରି ମନ୍ଦିରାଡ୍ୟାମ ନିକଟରେ ଥିବା ମେଗା ପାଣି ପ୍ରକଳ୍ପ ଅବସ୍ଥା ନିକଟରୁ ଅନୁଧ୍ୟାନ କରି, କାର୍ଯ୍ୟର ଗତି ଓ ଗୁଣଗତା ବିଷୟରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଆସନ୍ତା ଏପ୍ରିଲ ମାସ ଶେଷ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଗ୍ରାମ ଓ ଘରକୁ ପିଇବା ପାଣି ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ। “ହର ଘର ଜଳ” ଯୋଜନା ଅଧୀନରେ ଏହି ଲକ୍ଷ୍ୟକୁ ସାଧ୍ୟ କରିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଥିଲେ। କୁତ୍ରା ମେଗା ଜଳ ପ୍ରକଳ୍ପ ସମ୍ପର୍କରେ ସେ ସୂଚନା ଦେଇ କହିଥିଲେ ଯେ, ଏହି ପ୍ରକଳ୍ପ ମାଧ୍ୟମରେ ମୋଟ ୭୯ଟି ଗ୍ରାମକୁ ପାଣି ଯୋଗାଣ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ସ୍ଥିତିରେ ୬୧ଟି ଗ୍ରାମରେ ପାଣି ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଥିବା ବେଳେ, ୧୮ଟି ଗ୍ରାମରେ ପାଣି ପହଞ୍ଚିବା ଆରମ୍ଭ ହୋଇଛି । ତଥାପି କେତେକ ସ୍ଥାନରେ ବିଦ୍ୟୁତ୍ ସମସ୍ୟା ଥିବାରୁ ପ୍ରକଳ୍ପ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏହାର ସମାଧାନ ନ ହେଲେ ଡିଜେଲ୍ ଜେନେରେଟର (ଡିଜି) ମାଧ୍ୟମରେ ପାଣି ଯୋଗାଣ ଜାରି ରଖାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ। ମନ୍ତ୍ରୀ ପୂର୍ବତନ ସରକାରଙ୍କ ଉପରେ ଆକ୍ରୋଶ ପ୍ରକାଶ କରି କହିଥିଲେ ଯେ, ପୂର୍ବରୁ ଏହି ପ୍ରକଳ୍ପମାନଙ୍କ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇନଥିଲା । ଯେତେବେଳେ ବର୍ତ୍ତମାନ ସରକାର ଦାୟିତ୍ୱ ଗ୍ରହଣ କଲା, ସେତେବେଳେ କେବଳ ୩ଟି ପ୍ରକଳ୍ପ କାର୍ଯ୍ୟରତ ଥିଲା । କିନ୍ତୁ ଗତ ଦୁଇ ବର୍ଷରେ ଏହାକୁ ବଢ଼ାଇ ୨୬ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇଛି । ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ମୋଟ ୫୨ଟି ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରହିଛି । ସୁନ୍ଦରଗଡ଼ ଜିଲ୍ଲାର ପାଣି ସମସ୍ୟାକୁ ଶେଷ କରିବା ପାଇଁ ଗତ ଦୁଇ ବର୍ଷରେ ମନ୍ତ୍ରୀ ୭ରୁ ୮ ଥର ଉଚ୍ଚସ୍ତରୀୟ ବୈଠକ କରିଥିବା ସେ ଉଲ୍ଲେଖ କରିଥିଲେ। ସ୍ଥାନୀୟ ଲୋକମାନେ ଏହି ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ହୋଇ ନିରବିଘ୍ନ ପାଣି ଯୋଗାଣ ଆରମ୍ଭ ହେବାକୁ ଆଶା ପ୍ରକାଶ କରିଛନ୍ତି।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )