ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ପ୍ରୟୋଗ ବିଭାଗରେ ‘ଆନ୍ତଃବିଷୟିକ ଗବେଷଣାରେ କୁତ୍ରିମ ବୁଦ୍ଧିମତ୍ତାର ଭୂମିକା’ ଶୀର୍ଷକ ଏକ ବ୍ୟବହାରିକ ତାଲିମ ଶିବିର ଉଦଘାଟିତ

ବାରିପଦା ( କ ବ୍ୟୁ ) ତା୦୭/୦୪/୨୦୨୬ : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ ‘ଆନ୍ତଃବିଷୟିକ ଗବେଷଣାରେ କୁତ୍ରିମ ବୁଦ୍ଧିମତ୍ତାର ଭୂମିକା’ ଶୀର୍ଷକ ଏକ ବ୍ୟବହାରିକ ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ପାଞ୍ଚ ଦିନ ଧରି ହେବାକୁ ଥିବା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା) ପ୍ରଯୋଜିତ ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସ୍ନାତକୋତ୍ତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ରଥ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ କୁତ୍ରିମ ବୁଦ୍ଧିମତ୍ତା ଆଜିର ଯୁଗରେ ଏକ ବାସ୍ତବିକତା ଏବଂ ଏହା ଆଧୁନିକ ଗବେଷଣା ପାଇଁ ଏକ ଶକ୍ତିଶାଳୀ ଉପକରଣ ବୋଲି ଅଭିହିତ କରିଥିଲେ । ଏହି କାର୍ଯ୍ୟକ୍ରମ ବିଭିନ୍ନ ବିଷୟରେ ଆନ୍ତଃବିଷୟିକ ଗବେଷଣାକୁ ନୂଆ ଦିଗ ଦେବ ଏବଂ ଆମର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନଗୁଡ଼ିକକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ସେ ଆଶା ପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଡିଆର୍‌ଡିଓ, ଚାନ୍ଦିପୁରର ବୈଜ୍ଞାନିକ ଶ୍ରୀ ସୁପର୍ଣ୍ଣକାନ୍ତି ଦାସ କହିଥିଲେ ଯେ ଏଆଇ ପ୍ରଯୁକ୍ତି କେବଳ ଏକ ସଫ୍ଟୱେୟାର ନୁହେଁ, ଏହା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଏକ ଅଦ୍ଭୁତ ସମନ୍ୱୟ; ତଥ୍ୟ ଯୁଗ ପରେ ବର୍ତ୍ତମାନ ଏଆଇ ଯୁଗ ଏବଂ ଏଆଇର ଏହି ବିଜୟଧାରା ଆଗାମୀ ଦିନରେ ବଳବତ୍ତର ରହିବ । ବିଶ୍ୱବିଦ୍ୟାଳୟର ପିଏମ୍-ଉଷା ଟ୍ରେନିଙ୍ଗ୍ ନୋଡାଲ୍ ଅଫିସର ପ୍ରଫେସର୍ ଇନ୍ଦ୍ରଜିତ୍ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ପିଏମ୍-ଉଷା ଯୋଜନା ଅଧୀନରେ ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ଗୁଣବତ୍ତା ବୃଦ୍ଧି କରିବ ଏବଂ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବ ବୋଲି କହିଥିଲେ । ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ରଥ କହିଥିଲେ ଯେ ଏହି ପ୍ରଶିକ୍ଷଣ ମାଧ୍ୟମରେ ଗବେଷକମାନେ ବାସ୍ତବିକ ସମସ୍ୟାର ସମାଧାନ ପାଇଁ ବ୍ୟବହାରିକ ତାଲିମର ଅଭିଜ୍ଞତା ଲାଭ କରିବେ ଏବଂ ଏହା ଆମ ବିଶ୍ୱବିଦ୍ୟାଳୟକୁ ଆଇଏଆଇ ଗବେଷଣାରେ ଅଗ୍ରଣୀ କରିବ।ରେ ସହାୟକ ହେବ । ବିଭାଗୀୟ ମୁଖ୍ୟ ତଥା ଆବାହକ ପ୍ରଫେସର ଏମ୍. ହିମବିନ୍ଦୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ତଥା ସଂଯୋଜକ ଡ. ପ୍ରଶାନ୍ତ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପ୍ରଫେସର ତଥା ଅନ୍ୟତମ ସଂଯୋଜକ ଡ. ସ୍ୱରୂପାନନ୍ଦ ବିଷୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତାଲିମ ଶିବିରର ପାଠ୍ୟକ୍ରମ ସାମଗ୍ରୀକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବକ୍ତା ହିସାବରେ ଆଟଲାଣ୍ଟା ସ୍ଥିତ ବ୍ରାଣ୍ଡସ୍କେପ୍‌ସ କମ୍ପାନୀର ପ୍ରଯୁକ୍ତିବିଦ୍ୟା ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ମାନସ କୁମାର ରଥ ଓ ସହଯୋଗୀ ଉପାଧ୍ୟକ୍ଷ ଡକ୍ଟର ତନ୍ମୟ ସ୍ଵାଇଁ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗର,ପ୍ରାଣୀ ବିଜ୍ଞାନର, ଗଣିତ, ପଦାର୍ଥ ବିଜ୍ଞାନର, ରସାୟନ ବିଜ୍ଞାନର, ବ୍ୟବସାୟ ପ୍ରଶାସନର, ଆର୍‌ଏସ୍‌ଜିଆଇଏସ୍‌ର ଓ ଜୈବ ପ୍ରଯୁକ୍ତି ବିଭାଗର ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବିଭାଗୀୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *