World Sparrows Day ବିଶ୍ବଘରଚଟିଆ ଦିବସ > 20th March 🦋 ଆମ ଗାଁ ଘରଚଟିଆ

ମାନସପଟ୍ଟରେ ଭାସୁଛି ଅତୀତ
ଗାଆଁଗହଳି’ର ଚିତ୍ର,
ଛଣ ଛପରରେ ମାଟି-କାନ୍ଥ ଘର
ମାଟି-ଚୁଲେ ଡାଲିଭାତ ।

ବାରିରେ ସବୁଜ ଶାଗ ଛନ୍ନ ଛନ୍ନ
ବଗିଚାରେ ଆମ୍ବଗଛ,
ବିଭିନ୍ନ ପ୍ରକାର ରଙ୍ଗିଲା ଚଢ଼େଇ
ବୁଲୁଥା’ନ୍ତି ଆଗପଛ ।

କଜଳପାତି ଓ କୁଆ ପାରା ବଣି
ଶୋଭେ ହଳଦୀବସନ୍ତ,
କିଚିରି-ମିଚିରି ରାବ ମୋହେ ମନ
ଘରଚଟିଆ ସେ’ ଛୋଟ ।

ଘର ମଧ୍ଯେ ଛଣ- ଛପର ଭିତରେ
ସୁନ୍ଦର ଗୁମୁଟି ଘର,
ଡିମ୍ବ ଦେଇ ଛୁଆ ଫୁଟାଇ ଆଦରେ
ଦିଅନ୍ତି ଖୁଦ ଆହାର ।

ଗାଆଁମାନଙ୍କରେ କୋଠାବାଡ଼ି ଏବେ
ଘୁମୁରିପାରା ଘୁମୁର,
ଛଣ-ଘର ବିନା ସେ’ ଘରଚଟିଆ
ଅଗଣା ଘରୁ ଅନ୍ତର ।

ମାଟି-ଛଣ ଘରେ ଶୀତଳ ମହକେ
ଶାନ୍ତି-ପ୍ରୀତି ଚାଷବାସ,
କୋଠା ରାଜନୀତି ଗୁଳୁଗୁଳିଆରେ
ଜର୍ଜରିତ ପ୍ରାଣ ନାଶ ।

ବେଦନ ହୃଦୟ ଗୁମୁରୁଛି ଆହାଃ
ଛାତିରୁ ଉଠୁଛି କୋହ,
କିଚିରି-ମିଚିରି ମୂର୍ଚ୍ଛନା ଘୁମୁରେ
ପଲ୍ଲୀ-ସଂଗୀତର ଲୁହ !!

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *