“ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ”

ରାଇରଙ୍ଗପୁର(କ:ବ୍ଯୁ) ତା ୧୦-୦୩-୨୦୨୬ ରିଖ
ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ୪ଦିନିଆ ମୟୂରଭଞ୍ଜ ଗସ୍ତ ଅବସରରେ ଆଜି ଅପରାହ୍ନରେ ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ଖାଦ୍ୟ ଆୟୋଗଙ୍କ ସଦସ୍ୟ ଶ୍ରୀ ଦୟାନିଧି ଦାଶ, ଶ୍ରୀ ଅକ୍ଷୟ କୁମାର ବେହେରା ଓ ଶ୍ରୀ ପ୍ରିୟବ୍ରତ ସାମନ୍ତରାୟ ଯୋଗ ଦେଇଥିଲେ।
ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ରାଇରଙ୍ଗପୁର ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ସାରଙ୍ଗଧର ବେହେରା,ସି ଡି ପି ଓ ଶ୍ରୀମତୀ କୋଇଲିମଣୀ ଟୁଡୁ, ଗୋଷ୍ଠୀ ଶିକ୍ଷାଧିକାରୀ ଘନଶ୍ୟାମ ମୁର୍ମୁ, ଏ ଵି ଇ ଓ ହେମ ମାଝୀ, କାର୍ତ୍ତିକ ଚନ୍ଦ୍ର କାରୁଆ, ଵି ଏସ ଏସ ଓ ସମ୍ବାରି ମୁର୍ମୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭେନ୍ଦୁ ମୋହନ ବଳ, ବିପିଓ ହିମାଂଶୁ ପାତ୍ର, ଏମ ଆଇ ନୀତିକା କୁମାରୀ ନାୟକ , ଏସ ଡି ଆଇ ପି ଆର ଓ ଶ୍ରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଉକ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ସମୀକ୍ଷା ଅବସରରେ ଆୟୋଗ ସଦସ୍ୟ ଶ୍ରୀ ଦାଶ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଶୁଦ୍ଧ ପାନୀୟ ଜଳ, ବିଜୁଳି ସଂଯୋଗ ଓ ଉପଯୁକ୍ତ ଶୌଚାଳୟର ସୁବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଦେଇଥିଲେ। ହଷ୍ଟେଲ ଗୁଡିକରେ ରନ୍ଧା ଖାଦ୍ୟ ଯେପରି ନଷ୍ଟ ନହୁଏ ସେଥିପ୍ରତି ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ। ସେହିପରି ଭତ୍ତା ପ୍ରଦାନ କ୍ଷେତ୍ରରେ ଦିବ୍ୟାଙ୍ଗ ଓ ଅସହାୟ ବିଧବା ମାନଙ୍କୁ ଅଗ୍ରାଧିକାର ଦେବାପାଇଁ ପରାମର୍ଶ ଦେଇଥିଲେ। ନିୟମିତ ବ୍ୟବଧାନରେ ସି ଡି ପି ଓ ଏବଂ ସୁପରଭାଇଜର ମାନେ ଅଙ୍ଗନବାଡି କେନ୍ଦ୍ରକୁ ସରପ୍ରାଇଜ ପରିଦର୍ଶନ କରିବା ସହ ପରିଦର୍ଶନ ପରେ କେନ୍ଦ୍ରଗୁଡିକରେ କି’ପ୍ରକାର ସୁଧାର ଆଣିପାରିଛନ୍ତି ସେ ସମ୍ବନ୍ଧରେ ଵି ଡି ଓ ଙ୍କ ଜରିଆରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦେଇଥିଲେ।
ଉକ୍ତ ସମୀକ୍ଷା ବୈଠକ ପୂର୍ବରୁ ଆଜି ପୂର୍ବାହ୍ନରେ ଆୟୋଗ ସଦସ୍ୟ ବୃନ୍ଦ କ୍ଷେତ୍ର ପରିଦର୍ଶନ ଅବସରରେ ସରପ୍ରାଇଜ ଭିଜିଟ କ୍ରମେ ରାଇରଙ୍ଗପୁର ବ୍ଲକ ଓ ପୌରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଗସ୍ତ କରିଥିଲେ। ଏହି କ୍ରମରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ଏସ ଏସ ଡି ଗାର୍ଲସ ସ୍କୁଲକୁ ଯାଇ ଛାତ୍ରୀମାନଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ବଡମୌଦା, ଠାକୁରାଣୀବେଡା ଠାରେ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ସେଠାକୁ ପାଠ ପଢିବା ପାଇଁ ଆସୁଥିବା କମୋଳମତି ଶିଶୁମାନଙ୍କ ସହିତ ସ୍ନେହପୂର୍ଣ୍ଣ ଭାବ ବିନିମୟ କରିବା ସହିତ କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏଥିସହ ସାନପାଖଣା ସରକାରୀ ୟୁ ପି ସ୍କୁଲ, ଖେଜୁରିଆ ସରକାରୀ ପ୍ରାଇମେରୀ ସ୍କୁଲ, ବଡଗାଁ ୟୁ ପି ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି କ୍ଷେତ୍ର ପରିଦର୍ଶନ ସମୟରେ ସମନ୍ବିତ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟକାରି ହେଉଥିବା ମଧ୍ୟାହ୍ନ ଭୋଜନ,ସ୍ୱତନ୍ତ୍ର ପୋଷଣ, ମା ଓ ଶିଶୁ ମାନଙ୍କ ରକ୍ତହୀନତା ରୋଗ ଦୂରୀକରଣ ପାଇଁ ଅମ୍ଲାନ ଯୋଜନା, ମା ଓ ଶିଶୁ ମାନଙ୍କୁ କୁପୋଷଣରୁ ରକ୍ଷା ପାଇଁ ନ୍ୟୁଟ୍ରି ଗାର୍ଡେନର କାର୍ଯ୍ୟକାରିତା,ସେହିପରି ୬ମାସରୁ ୩ବର୍ଷ ଶିଶୁ, ଗର୍ଭବତୀ ମହିଳା, ୩ବର୍ଷ ରୁ ୬ବର୍ଷ କମ ଓଜନର ଶିଶୁ ଓ ସ୍ତନ୍ୟପାନ କରାଉଥିବା ମା ମାନଙ୍କ ପୁଷ୍ଟି ହୀନତା ଦୂର ପାଇଁ କାର୍ଯ୍ୟକାରି ହେଉଥିବା ପୁଷ୍ଟିକର ଖାଦ୍ୟ ଘରକୁ ଯୋଗାଇଦେବା ( ଟି ଏଚ ଆର) ଟେକ ହୋମ ରାସନ ବ୍ୟବସ୍ଥାରେ ଇଚିଣ୍ଡା ସ୍ଥିତ ଛତୁଆ ଉତ୍ପାଦନ ୟୁନିଟ ନିରୀକ୍ଷଣ କରିଥିଲେ। ଏହାସହ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଟି ପି ଡି ଏସ (ଟାର୍ଗେଟେଡ଼ ସାଧାରଣ ବଣ୍ଟନ ବ୍ୟବସ୍ଥା ) କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *