ଗାଇଲେ ଗାଉନୁ ଜାତୀୟ-ସଂଗୀତ
ଗାଇଲେ ରେ କିଛି ହେବନି ବାବୁ,
ଗାଇଲେ ତାଙ୍କର ପକେଟ ଗରମ
ଓଲଟା ଗାଇଲେ ମାଡ଼ ଖାଇବୁ …. ।୧।
କହିଲେ କହୁନୁ ଜୟ ହେ କିଷାନ
କହିଲେ ରେ କିଛି ହେବନି ଧନ,
କ୍ଷେତରେ ରକତ ନିଗାଡ଼ି ଖାଇବେ
ଶୁଣେଇବେ ତୋତେ ଆଳୁ-ମିଶନ….।୨।
ପିଇଲେ ପିଉନୁ ଦେଶୀ-ମଦ ପରା
ପିଇଲେ ରେ ଦେହ କିଛି ହବନି,
ପିଇଲେ ତାଙ୍କର ତହବିଲ ବଢ଼େ
ପିଇକି ମରିଲେ ଦୋଷ ଦବନି …. ।୩।
ମାଗିଲେ ମାଗୁନୁ ନ୍ୟାଯ୍ୟ ଅଧିକାର
ଗଣତନ୍ତ୍ର ଭାବି ଆମରି ଦେଶ,
ଭିକ୍ଷା ନ ଦେଇକି ଭାଙ୍ଗିଦେବେ ଥାଳ
କରିଲେ ବିଦ୍ରୋହ ହେବୁ ବିନାଶ ! ….।୪।
ପଢ଼ିଲେ ପଢ଼ୁନୁ ନାରୀଙ୍କୁ ସମ୍ମାନ
ପଢ଼ିଦେଇ ଝିଅ ଛାଡ଼ିବୁ ନାହିଁ,
ସମ୍ବିଧାନ ଶୋଭା ବର୍ଦ୍ଧନ କେବଳ
ଛାଡ଼ିଲେ ତୋ’ ଝିଅ ଫେରିବ ନାଇଁ ..।୫।
ଲେଖିଲେ ଲେଖୁନୁ ବେଟୀକୁ ବଞ୍ଚାଅ
ବୀର-ପ୍ରସବିନୀ ହୋଇବ ମା’ ତ ,
ସରକାରୀ ପୋଷା ଭାଲୁଆ ପାଇଁ ତ
ତଟକା ମାଉଁସ ଜାଣିଥା ସେ’ତ …. ।୬।
ଭାଷିଲେ ଭାଷୁନୁ କନ୍ୟା-ଭ୍ରୂଣ ହତ୍ଯା
ମହାପାପ ବୋଲି ଗାଇକି ଗୀତ,
କନ୍ଯା ଜନମରେ କାହିଁକି ପାଉଛୁ
ପୁଳା-ଟଙ୍କା ଏବେ ଜାଣିଲୁ ମିତ …. !୭!
ଉଡ଼ାଇଲେ ଉଡ଼ା ଜାତୀୟ ପତାକା
ଉଡ଼ାଇଲେ କିଛି ହବନି ବାବୁ,
ହେଇଥିଲେ ହେଇ ସାରନ୍ତାଣି ଭଲ
ମିଛ ଯୋଜନାରେ ନିରୀହ କାବୁ …. !୮!
ଶମ୍ଭୁନାଥ ଦାସ