
ବାରିପଦା(କ:ବ୍ଯୁ) ତା୦୭/୧୧/୨୫ : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହୋଇଯାଇଛି । ୧୮୭୫ ମସିହା ନଭେମ୍ବର ୭ ତାରିଖରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି ଗୀତଟି ତାଙ୍କରି ଉପନ୍ୟାସ ଆନନ୍ଦମଠରେ ସ୍ଥାନିତ ହୋଇଥିଲା । ଏହାର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବିଶ୍ୱବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ୍, ଛାତ୍ରଛାତ୍ରୀ ମାନେ ସମୂହ ‘ବନ୍ଦେ ମାତରମ୍’ ଗାନ କରିଥିଲେ । ଏହି କାର୍ଯକ୍ରମରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ ‘ବନ୍ଦେ ମାତରମ୍’ ଭଳି ଏକ କାଳଜୟୀ ଗୀତ ସମସ୍ତଙ୍କ ମନରେ ଦେଶପ୍ରେମ ଉଦ୍ବୁଦ୍ଧ କରିବାରେ ସହାୟକ ହୋଇଛି ବୋଲି କହିବା ସହ ଛାତ୍ରଛାତ୍ରୀଙ୍କୁ ଦେଶମାତୃକାର ସେବାରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜିକା ଡ. ମୋନାଲି ଗୋସ୍ୱାମୀ, ଡ. ଶାନ୍ତିସ୍ଵରୂପ ବସା, ଡ. ବିଷ୍ଣୁପ୍ରିୟା ହାଁସଦା, ଡ. ଶିଶିର ବେହେରା, ଡ. ଯତୀନ୍ଦ୍ର ନାଥ ବେଶ୍ରା, ଡ. ଭୁବନେଶ୍ୱର ଶବର ପ୍ରମୁଖ ପରିଚାଳନା କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)