
ଆରାମ-ବିରାମ ଛାଡ଼ଖାଇ ପର୍ବେ
କବି ବାଇଆ ପାଗଳ,
ଅଯଥା ଲେଖାରେ ସାଉଣ୍ଟଇ କବି
ମାନପତ୍ର ମାଳମାଳ !
ଛାଡ଼ଖାଇ ଦିନ ଖାସି କି କୁକୁଡ଼ା
ମାଂସ ନ ଖାଇଲେ କେହି,
ଛେଳି କି କୁକୁଡ଼ା ପାଳନ କିମ୍ପାଇ
କହିବ କି କବି ଭାଇ ?
ସାରା ବରଷରେ ମାଛ-ମାଂସ ଭୋଜି
କିମ୍ପା ଛାଡ଼ଖାଇ କଥା,
ରଜ ପରବରେ ୟା’ଠାରୁ ଅଧିକ
ଲେଖନୀ କିମ୍ପା ଅନ୍ୟଥା ?
କବି-ଭାଇ ଛେଳି ପାଳନ କରିଛି
ପୁତୁରା କୁକୁଡ଼ା ଫାର୍ମ,
କବିତା କିମ୍ପାଇ ଚାଲେ ଡିଗିଡିଗି
ଛାଡ଼ଖାଇ ବଡ଼ ହାର୍ମ ?
ସବୁ କବି ଘରେ ମଟନ ଚିକେନ
କବି ଧରିଛି କଲମ,
ଯାଦୁଆ ବିକଇ ଯାଦୁର ମଲମ
ଲାଗେନି ଟିକେ ସରମ ?
ଜୀବ-ହତ୍ଯା ପାପ ଏକଥା ନିଶ୍ଚିତ
ସର୍ବ ପ୍ରାଣୀ ସଂରକ୍ଷଣ,
ବନ୍ଯ-ପ୍ରାଣୀ ଆଉ ଗୋହତ୍ୟା ବିରୋଧେ
କର ସ୍ବର ଉତ୍ତୋଳନ !
ଅଯଥା କବିତା ଲେଖାରେ କି ହେବ
ସୁସ୍ଥ ସମାଜ ସଂସ୍କାର ?
ଦୁର୍ନୀତି ଅନ୍ଯାୟ ବିରୋଧେ ଲେଖିଲେ
ଶ୍ରଦ୍ଧା ପ୍ରାପ୍ତ କବି-ବର ।
କବି ଧର୍ମାଧିକ ସମାଜ ସଂସ୍କାର
ଆନନ୍ଦ ଉଲ୍ଲାସ ଅଳ୍ପ,
ଭୀରୁ କି ଭୟାଳୁ ନୁହଁନ୍ତି ଲେଖକ
ହେଉ କି କବିତା ଗଳ୍ପ ।
ସାହିତ୍ୟ ମାଧ୍ୟମେ ସୁସ୍ଥ ପରିବେଶେ
ସଂସାର ହେଉ ସରସ,
ସମାଜ ସଂସ୍କାର ଜାତୀୟ-ସଂହତି
ଭାଳେ ଶମ୍ଭୁନାଥ ଦାସ ।