ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁଙ୍କ ତିନି ରଥର ଚକ

ପୁରୀ, (ବଳରାମ ତ୍ରିପାଠି ରିପୋର୍ଟ): ଭାରତର ସଂସଦ ଭବନରେ ସ୍ଥାନ ପାଇବ ମହାପ୍ରଭୁଙ୍କ ତିନି ରଥର ଗୋଟିଏ ଲେଖାଏଁ ଚକ। ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦରେ ତିନି ରଥର ଗୋଟିଏ ଲେଖାଏଁ ଚକ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏନେଇ ସୋସିଆଲ ମିଡିଆ X ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ।

ଏହା ପୂର୍ବରୁ ଶୁକ୍ରବାର ଲୋକସଭା ବାଚସ୍ପତି ଓମ୍ ପ୍ରକାଶ ବିର୍ଲା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡା ସୁରକ୍ଷା ମଧ୍ୟରେ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ପ୍ରଥମେ ସ୍ଵତନ୍ତ୍ର ସର୍କିଟ ହାଉସଠାରେ ସ୍ନାନ ଓ ଶୌଚ ହେବା ପରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା କ୍ଷଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ, ଜିଲ୍ଲାପାଳ ଓ ଏସପି ସେମାନଙ୍କୁ ସ୍ଵାଗତ କରିଥିଲେ। ପ୍ରଥମେ ଅରୁଣ ସ୍ତମ୍ଭ ନିକଟରେ ପ୍ରଣିପାତ, ପତିତପାବନ ଦର୍ଶନ କରି ପରେ ଶ୍ରୀମନ୍ଦିର ଯାଇ ପ୍ରଥମେ କାଶୀ ବିଶ୍ଵନାଥଙ୍କୁ ଦର୍ଶନ ସାରି ସାତ ପାହାଚ ଦେଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ ।

ଏହାପରେ ବେଢ଼ା ପରିକ୍ରମା କରି ସେ ମା ମଙ୍ଗଳା, ମା ବିମଳା ଓ ମା ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ। ପରେ ମହାପ୍ରସାଦ ସେବନ କଲେ । ଶ୍ରୀଜୀଉଙ୍କ ଦର୍ଶନ କରି ସେ ବେଶ୍ ଖୁସି ଓ ଆନନ୍ଦିତ ଥିବା କହିଛନ୍ତି । ସାରା ବିଶ୍ବ ଏବଂ ସମଗ୍ର ଦେଶର ମଙ୍ଗଳ କାମନା କରି ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ସେମାନଙ୍କ ସହ ପୁରୀ ସାଂସଦ ସମ୍ବିତ ପାତ୍ର, ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାୟକ ,ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ମଧ୍ୟ ଥିଲେ।

Leave a Reply

Your email address will not be published. Required fields are marked *