ଉଦଯାପିତ ହେଲା “କଟକ ନାଟ୍ୟୋତ୍ସବ–୨୦୨୬”


କଟକ, ତା. ୦୫.୧୧.୨୦୨୬ ରିଖ : ଯୁବ ନାଟ୍ୟ ପ୍ରତିଭାଙ୍କୁ ନିଜର ପ୍ରତିଭା, ସୃଜନଶୀଳତା ଓ ଅଭିନୟ ଦକ୍ଷତାକୁ ପରିପ୍ରକାଶ କରିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ‘ସେଭେନ୍ ପିଲର୍ସ ଅଫ୍ ୱିଜଡମ୍’ଠାରେ ଆୟୋଜିତ “କଟକ ନାଟ୍ୟୋତ୍ସବ–୨୦୨୬”ର ଚୂଡାନ୍ତ ପର୍ଯ୍ୟାୟ ଆଜି ଉଦଯାପିତ ହୋଇଯାଇଛି । ତିନିଦିନ ବ୍ୟାପୀ ଚାଲିଥିବା ନାଟ୍ୟୋତ୍ସବରେ ପରିବେଶ ସୁରକ୍ଷା, ନାରୀଶକ୍ତି, ଐତିହାସିକ ବାଲିଯାତ୍ରା, କଟକର ତାରକସି କଳା, କନ୍ୟାଭ୍ରୂଣ ହତ୍ୟା ଭଳି ବିଭିନ୍ନ ବିଷୟକୁ ନେଇ ପ୍ରସ୍ତୁତ ନାଟକଗୁଡ଼ିକ ଦର୍ଶକଙ୍କ ମନ ଜିଣିଥିଲା । ଉଦଯାପନୀ ଦିବସର ପ୍ରଥମ ପ୍ରଦର୍ଶନରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ “ଶିଳ୍ପୀର ହସ୍ତେ” ନାଟକ ମାଧ୍ୟମରେ କଟକର ଐତିହାସିକ ତାରକସି କଳା ଏବଂ ଏହା ସହ ଜଡ଼ିତ ଶିଳ୍ପୀମାନଙ୍କ ନିଷ୍ଠା, ପରିଶ୍ରମ ଓ ଜୀବନ ସଂଘର୍ଷକୁ ସୁନ୍ଦର ଭାବେ ପ୍ରତିଫଳିତ କରାଯାଇଥିଲା । ପରବର୍ତ୍ତୀ ପ୍ରଦର୍ଶନରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସି ଆଣ୍ଡ ଟେକ୍ନୋଲୋଜି, ସାଲେପୁର ପକ୍ଷରୁ “ଶକ୍ତି ସ୍ୱରୂପିଣୀ” ନାଟକ ନାରୀଶକ୍ତି, ସଂଘର୍ଷକୁ କେନ୍ଦ୍ରକରି ପରିବେଷଣ କରାଯାଇଥିଲା। ଶେଷ ପ୍ରଦର୍ଶନରେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ମା’ର ନିଃସ୍ୱାର୍ଥ ଭଲପାଇବା, ତ୍ୟାଗ, ସ୍ନେହ ଓ ମମତାକୁ ନେଇ ପ୍ରସ୍ତୁତ “ବୋଉ” ନାଟକ ଦର୍ଶକଙ୍କୁ ଭାବବିହ୍ୱଳ କରିଥିଲା । ତିନିଦିନ ଧରି ଚାଲିଥିବା “କଟକ ନାଟ୍ୟୋତ୍ସବ–୨୦୨୬”ରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ନାଟ୍ୟଦଳ ଅଂଶଗ୍ରହଣ କରି ନିଜର ଅଭିନୟ, ନିର୍ଦ୍ଦେଶନା, ସଂଳାପ, ସଙ୍ଗୀତ ଓ ମଞ୍ଚସଜ୍ଜାର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ପର୍ଯ୍ୟାୟରେ ମୋଟ ୧୦ଟି ଦଳ ସେମାନଙ୍କ ନାଟ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ । ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଜୀବନ୍ତ ଓ ହୃଦୟସ୍ପର୍ଶୀ ଅଭିନୟର ଉଚ୍ଚ ପ୍ରଶଂସା କରିଥିଲେ । ଏଥିସହିତ, ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ମାର୍ଗଦର୍ଶକ ତଥା ପ୍ରଶିକ୍ଷକମାନଙ୍କ ନିଷ୍ଠାପର ଉଦ୍ୟମ ଓ ଅକ୍ଲାନ୍ତ ପରିଶ୍ରମକୁ ସେ ଧନ୍ୟବାଦ ଦେଇଥିଲେ । ଡେପୁଟି କଲେକ୍ଟର ସତରୂପା ଶତପଥି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା, ଉପଖଣ୍ଡ ସୂଚନା ଅଧିକାରୀ ସୋନାଲୀ କୁଣ୍ଡ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ସମେତ ନାଟ୍ୟୋତ୍ସବ କମିଟି ଉପାଧ୍ୟକ୍ଷ ତଥା ସିନେ ତାରକା ଶ୍ରୀତମ ଦାସ, ବିଚାରକ ଧୀର ମଲ୍ଲିକ, ନମ୍ରତା ଦାସ ଓ ହରିଶ ମହାନ୍ତିଙ୍କ ସମେତ ନାଟ୍ୟ ପରାମର୍ଶଦାତା ଅନନ୍ତ ଦାଶ, ଦେବୀ ପ୍ରସାଦ ପଟ୍ଟନାୟକ, ବିଶ୍ୱଭୂଷଣ ମହାନ୍ତି, ଉମେଶ ଦାଶ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍, ସନ୍ଦୀପ ପାଣି, ବେବି ପ୍ରଧାନ,ଶ୍ଵେତା ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *