ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଚଣ୍ଡୀ ଦାସଙ୍କୁ ଭେଟିଲେ:କଟକ ମେୟର ଶ୍ରୀ ସୁବାସ ସିଂହ
‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ସୁଖଦୁଃଖ ବୁଝିଲେ ମେୟର

କଟକ: ବୟସ କେବଳ ଏକ ସଂଖ୍ୟା, ମନରେ ଯଦି ସେବାର ଆଗ୍ରହ ଓ ମାନବିକତାର ଭାବନା ରହିଥାଏ, ତେବେ ଜୀବନର ଶେଷ ପର୍ଯ୍ୟାୟରେ ମଧ୍ୟ ମଣିଷ ସମାଜ ପାଇଁ ନିଜର ଅବଦାନ ଜାରି ରଖିପାରେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଓଡ଼ିଶାର ପ୍ରଖ୍ୟାତ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଚଣ୍ଡୀ ଦାସ। ଜୀବନର ୯୨ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଦୀର୍ଘ ୬୨ ବର୍ଷ ଧରି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ରୋଗୀସେବା ଜାରି ରଖି ଆସିଛନ୍ତି ସେ।
କଟକ ମହାନଗର ନିଗମ ପକ୍ଷରୁ ପରିଚାଳିତ ଜନସମ୍ପର୍କ ଓ ମାନବୀୟ ସମ୍ବେଦନଶୀଳତାର ନିଆରା ପ୍ରୟାସ ‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ ଅନ୍ତର୍ଗତ ମେୟର ଶ୍ରୀ ସୁବାସ ସିଂହ ଆଜି ପ୍ରଫେସର ଚଣ୍ଡୀ ଦାସଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ମେୟର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଓ ଦୈନନ୍ଦିନ ଜୀବନଚର୍ଯ୍ୟା ସମ୍ପର୍କରେ ଆତ୍ମୀୟତାର ସହ ପଚାରି ବୁଝିବା ସହ ୯୨ ବର୍ଷ ବୟସରେ ମଧ୍ୟ ସେ କିପରି ଏତେ ଚଳଚଞ୍ଚଳ ରହି ରୋଗୀସେବା, ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଛନ୍ତି, ସେ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ।
ପ୍ରଫେସର ଦାସଙ୍କ ଜୀବନଶୈଳୀ ମଧ୍ୟ ଅତ୍ୟନ୍ତ ଶୃଙ୍ଖଳିତ ଓ ଆଧ୍ୟାତ୍ମିକତାପୂର୍ଣ୍ଣ। ସେ ପ୍ରତିଦିନ ସକାଳ ୬ଟାରେ କାଳୀ ମନ୍ଦିର ଦର୍ଶନ କରି ଦିନ ଆରମ୍ଭ କରିଥାନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତାଙ୍କ ଚିକିତ୍ସା ଉପରେ ଅଗାଧ ବିଶ୍ୱାସ ଓ ଆସ୍ଥା ରଖି ଅନେକ ରୋଗୀ ତାଙ୍କ ନିକଟକୁ ଆସିଥାନ୍ତି। ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର ନିଷ୍ଠାପର ଚିକିତ୍ସା ସେବା କେବଳ କଟକ ନୁହେଁ, ସମଗ୍ର ଓଡ଼ିଶାରେ ତାଙ୍କୁ ଏକ ସମ୍ମାନନୀୟ ପରିଚୟ ପ୍ରଦାନ କରିଛି।
କଟକ ସହରକୁ ଜାତୀୟ ସ୍ତରରେ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ସୁନାମ ଓ ପରିଚୟ ଦେବାରେ ପ୍ରଫେସର ଦାସଙ୍କ ଅବଦାନ ଉଲ୍ଲେଖନୀୟ। ରୋଗୀସେବା ସହିତ ସେ ବିଭିନ୍ନ ସାମାଜିକ ଓ ସେବାମୂଳକ କାର୍ଯ୍ୟରେ ମଧ୍ୟ ନିଜକୁ ସକ୍ରିୟ ଭାବେ ଜଡ଼ିତ ରଖିଛନ୍ତି।
ଆଧ୍ୟାତ୍ମିକ ଓ ମାନବୀୟ ଆଦର୍ଶ ପ୍ରତି ତାଙ୍କର ଗଭୀର ଆସ୍ଥା ରହିଛି। ସେ ରାମକୃଷ୍ଣ ମିଶନ ସହ ଘନିଷ୍ଠ ଭାବେ ଜଡ଼ିତ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ବିଚାର ଓ ଆଦର୍ଶକୁ ନିଜ ଜୀବନର ପ୍ରେରଣା ଭାବେ ଗ୍ରହଣ କରିଛନ୍ତି। ବିଶେଷକରି ସ୍ୱାମୀ ବିବେକାନନ୍ଦଙ୍କ ଜୀବନଦର୍ଶନ, ଚରିତ୍ର ଗଠନ ଓ ମାନବସେବାର ବାର୍ତ୍ତାକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ପାଠ୍ୟକ୍ରମରେ ସାମିଲ କରାଗଲେ ଛାତ୍ରଛାତ୍ରୀମାନେ ଉତ୍ତମ ଚରିତ୍ର ଓ ମାନବୀୟ ମୂଲ୍ୟବୋଧରେ ଗଢ଼ି ଉଠିପାରିବେ ବୋଲି ସେ ନିଜର ମତ ପ୍ରକାଶ କରିଥିଲେ।
ଏହି ସାକ୍ଷାତକାର ସମୟରେ ମେୟର ଶ୍ରୀ ସୁବାସ ସିଂହ ପ୍ରଫେସର ଦାସଙ୍କ ଦୀର୍ଘ ୬୨ ବର୍ଷର ନିଷ୍ଠାପର ରୋଗୀସେବା, ସମାଜ ପ୍ରତି ଅବଦାନ ଓ ଆଧ୍ୟାତ୍ମିକ ଜୀବନଶୈଳୀର ଉଚ୍ଚ ପ୍ରଶଂସା କରିଥିଲେ। ଏଭଳି ବରିଷ୍ଠ ଓ ଅନୁଭବୀ ବ୍ୟକ୍ତିତ୍ୱମାନେ ସମାଜର ଅମୂଲ୍ୟ ସମ୍ପଦ ଏବଂ ସେମାନଙ୍କ ଜୀବନ ସଂଘର୍ଷ ଓ ସେବାମନୋଭାବ ଆଗାମୀ ପିଢ଼ି ପାଇଁ ଏକ ମହାନ ପ୍ରେରଣା ବୋଲି ସେ ମତ ଦେଇଥିଲେ।
ଏହି ଅବସରରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ବାନଲତା ପ୍ରଧାନ ଏବଂ ପ୍ରଫେସର ଦାସଙ୍କ ପୁତ୍ର, ସୁନାମଧନ୍ୟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସିଦ୍ଧାର୍ଥ ଦାସ ଉପସ୍ଥିତ ଥିଲେ।
‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକ, ବିଶିଷ୍ଟ ଚିକିତ୍ସକ, ସମାଜସେବୀ ଓ ସହରର ଅନୁଭବୀ ବ୍ୟକ୍ତିତ୍ୱଙ୍କ ସହ ଆତ୍ମୀୟ ସମ୍ପର୍କ ସ୍ଥାପନ କରିବା ସହ ସେମାନଙ୍କ ସୁଖଦୁଃଖ ବୁଝିବାର ଏହି ମାନବୀୟ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି।