‘କଟକ ନାଟ୍ୟୋତ୍ସବ–୨୦୨୬’ର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ, ପ୍ରଥମ ଦିନରେ ଦର୍ଶକଙ୍କ ମନ ଜିଣିଲା ୩ ନାଟକ


କଟକ, ୦୩.୧୧.୨୦୨୬ ରିଖ: ମଞ୍ଚରେ ଅଭିନୟର ଯାଦୁ, ସଂଳାପରେ ଭାବନାର ସ୍ପର୍ଶ, ଆଉ କାହାଣୀରେ ସମାଜର ବାସ୍ତବ ଚିତ୍ର। ଏମିତି ଏକ ନାଟ୍ୟମୟ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ‘କଟକ ନାଟ୍ୟୋତ୍ସବ–୨୦୨୬’ର ଚୂଡ଼ାନ୍ତ ପର୍ଯ୍ୟାୟ। ପ୍ରଥମ ଦିନରେ ତିନିଟି ଭିନ୍ନ ସ୍ୱାଦର ନାଟକ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିବା ସହ ନାଟ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ନାଟ୍ୟୋତ୍ସବର ଶୁଭାରମ୍ଭ ରେଭେନ୍ସା ବିଶ୍ୱବିଦ୍ୟାଳୟର ‘ସେଭେନ୍ ପିଲର୍ସ ଅଫ୍ ୱିଜଡମ୍’ଠାରେ ପାରମ୍ପରିକ ମଞ୍ଚ ପୂଜା ସହ ହୋଇଥିଲା। ପ୍ରଥମ ଦିନର ପ୍ରଥମ ଆକର୍ଷଣ ଥିଲା ‘ମହାବାହୁ’। ଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ମହିମାକୁ ଆଧାର କରି ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ଏହାକୁ ମଞ୍ଚସ୍ଥ କରିଥିଲେ। ନାଟକର ନିଖୁଣ ଅଭିନୟ ଓ ଭାବପୂର୍ଣ୍ଣ ଉପସ୍ଥାପନା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ଦ୍ୱିତୀୟ ନାଟକ ‘ନୀରବ ଚିଠି’ ଦର୍ଶକଙ୍କୁ ଭାବବିହ୍ୱଳ କରିଦେଇଥିଲା। ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ପରିବେଷିତ ଏହି ନାଟକରେ ଯୌଥ ପରିବାରର ମହତ୍ତ୍ୱ, ପାରିବାରିକ ସମ୍ପର୍କ ଓ ନିଜ ପରିବାର ପାଇଁ ସମୟ ଦେବାର ଆବଶ୍ୟକତାକୁ ଭାବପ୍ରବଣ ଢଙ୍ଗରେ ଉପସ୍ଥାପନ କରାଯାଇଥିଲା। ସେହିପରି ଦିନର ଶେଷ ନାଟକ ଭାବେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିବେଷିତ ହୋଇଥିଲା ‘ଫେରିଆ ବୋଇତ ସପନ ନେଇ’। କଟକର ଐତିହାସିକ ବାଲିଯାତ୍ରା, ଓଡ଼ିଆ ନୌବାଣିଜ୍ୟ ପରମ୍ପରା, ଭାଇଚାରା ଓ ସମୃଦ୍ଧ ସଂସ୍କୃତିକୁ ନାଟକ ମାଧ୍ୟମରେ ଜୀବନ୍ତ ରୂପ ଦିଆଯାଇଥିଲା। ଏହା ଦର୍ଶକଙ୍କୁ କଟକର ଗୌରବମୟ ଐତିହ୍ୟ ସହ ଯୋଡ଼ିବାରେ ସଫଳ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ଡେପୁଟି କଲେକ୍ଟର ଶତ୍ରୁପା ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୋନାଲି କୁଣ୍ଡ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ସମେତ ନାଟ୍ୟୋତ୍ସବ କମିଟିର ଉପଦେଷ୍ଟା ତଥା ସିନେ ତାରକା ଶ୍ରୀତମ ଦାସ ଉପସ୍ଥିତ ଥିଲେ। ଏଥିସହ ବିଚାରକ ଧୀର ମଲ୍ଲିକ, ନମ୍ରତା ଦାସ ଓ ହରିଶ ମହାନ୍ତିଙ୍କ ସମେତ ନାଟ୍ୟ ପରାମର୍ଶଦାତା ଅନନ୍ତ ଦାଶ, ଦେବୀ ପ୍ରସାଦ ପଟ୍ଟନାୟକ, ବିଶ୍ୱଭୂଷଣ ମହାନ୍ତି, ଉମେଶ ଦାଶ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍, ସନ୍ଦୀପ ପାଣି, ବେବି ପ୍ରଧାନ ଓ ଶ୍ୱେତା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି କଟକ ନାଟ୍ୟୋତ୍ସବ–୨୦୨୬’ର ଚୂଡ଼ାନ୍ତ ପର୍ଯ୍ୟାୟ ଚାଲିବ।

Leave a Reply

Your email address will not be published. Required fields are marked *