କଟକ, ୦୩.୧୧.୨୦୨୬ ରିଖ: ଐତିହାସିକ କଟକ ବାଲିଯାତ୍ରାକୁ ନେଇ ଏବେଠାରୁ ଜମିଲାଣି ଉତ୍ସାହ। ପ୍ଲଟ୍ ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇଛି ପ୍ଲଟ୍ ନିଲାମି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ନିଲାମି ପ୍ରକ୍ରିୟା ଚାଲିବ। ବିଭିନ୍ନ ପ୍ଲଟ୍ ପାଇଁ ଏକାଧିକ ଆବେଦନ ହୋଇଥିବାରୁ ନିଲାମି ପ୍ରକ୍ରିୟାରେ ଜୋରଦାର ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଆଜି ସୁଦ୍ଧା ୫୩୬ ଟି ପ୍ଲଟର ନିଲାମି ଶେଷ ହୋଇଥିବାବେଳେ ସର୍ବାଧିକ ବର୍ଗଫୁଟ ପିଛା ୧୩୦୦ ଟଙ୍କାରେ ପ୍ଲଟ୍ ନିଲାମ ହୋଇଥିବା ଜଣାପଡ଼ିଛି। ନିଲାମି ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ୭ଟି ଟିମ୍ ଗଠନ କରାଯାଇଛି। ବିଭିନ୍ନ ବ୍ଲକ୍ ପାଇଁ ଅଲଗା ଅଲଗା ସ୍ଥାନରେ ନିଲାମି ବ୍ୟବସ୍ଥା କରାଯାଇଛି। ଜଣେ ଆବେଦନକାରୀ ସର୍ବାଧିକ ୩ଟି ପ୍ଲଟ୍ ପାଇଁ ଅନଲାଇନ୍ରେ ଆବେଦନ କରିବାର ବ୍ୟବସ୍ଥା ରହିଥିଲା। ପ୍ରତିଦିନ ସକାଳ ୧୦ଟାରୁ ନିଲାମି ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁଛି। ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି ରଖାଯାଇଛି। ଅନ୍ୟପକ୍ଷରେ, ନିଲାମିରେ ଭାଗ ନେବା ପାଇଁ ପଞ୍ଜିକରଣ କରିଥିବା ଆବେଦନକାରୀ ଯଦି ନିଲାମିରେ ଅଂଶଗ୍ରହଣ ନକରନ୍ତି, ତେବେ ସେମାନେ ଦାଖଲ କରିଥିବା ଫି’ ଫେରସ୍ତ ପାଇବେ ନାହିଁ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ପ୍ଲଟ୍ ପଞ୍ଜିକରଣ ପାଇଁ ବେସ୍ ପ୍ରାଇସ୍ ବର୍ଗଫୁଟ ପିଛା ୬୦ରୁ ୬୫ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଥିଲା। ମାତ୍ର ନିଲାମିରେ ପ୍ରତିଯୋଗିତା ବଢ଼ିବା ସହ ଦର ୧୩୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଚଳିତ ବର୍ଷ ବାଲିଯାତ୍ରା ପ୍ଲଟ୍ ନିଲାମି ପ୍ରକ୍ରିୟାକୁ ସୁରୁଖୁରୁରେ ଓ ସ୍ୱଚ୍ଛତାର ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ ସୂଚନା ଦେଇଛନ୍ତି।