ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬” ଅନୁଷ୍ଠିତ


ଅନୁଗୋଳ, ତା.୦୩.୧୧.୨୦୨୬: ଆଜି ସ୍ଥାନୀୟ ଅନୁଗୋଳ ସଭାଘରଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬” ସମଗ୍ର ଶିକ୍ଷା, ଅନୁଗୋଳ ଆନୁକୂଲ୍ୟରେ ଆନନ୍ଦମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ସମଗ୍ର ଶିକ୍ଷା, ଅନୁଗୋଳ ଶ୍ରୀଯୁକ୍ତ ଅବଦାଲ ମହମ୍ମଦ ଅଖତର, ଭା.ପ୍ର.ସେ., ସ୍ୱତନ୍ତ୍ର ଅତିଥି ଭାବରେ ଉପ-ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ସୁକୁମାର ତ୍ରିପାଠୀ, ସଭାପତି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ନନ୍ଦ ଏବଂ ସମ୍ମାନିତ ଅତିଥି ଭାବରେ ଅନୁଗୋଳ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୌରିଶଙ୍କର ବେହେରା ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମର ଆନୁଷ୍ଠାନିକ ଆରମ୍ଭ ପୂର୍ବରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାଧୀନ ଯାତାୟାତ, ଶିକ୍ଷା କ୍ଷେତ୍ରରେ ସୁଗମତା ଓ ସମାବେଶୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୧୦ ଜଣ ଚିହ୍ନଟ ଛାତ୍ରଛାତ୍ରୀଙ୍କୁ ALIMCO ଦ୍ୱାରା ପ୍ରଦତ୍ତ ୧୦ଟି ବ୍ୟାଟେରିଚାଳିତ ତିନିଚକିଆ ସାଇକେଲ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଖତର ଏବଂ ଅନ୍ୟ ଗଣ୍ୟମାନ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି ପଦକ୍ଷେପ ଦିବ୍ୟାଙ୍ଗ ଶିଶୁମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କର ଶିକ୍ଷା ଓ ସାମାଜିକ ଜୀବନରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ଏକ ଅଭିନବ ପ୍ରୟାସ ଅଟେ।
କାର୍ଯ୍ୟକ୍ରମର ଶୁଭାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଗୋଳର ଛାତ୍ରୀମାନଙ୍କ ଦ୍ୱାରା ମନୋମୁଗ୍ଧକର ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ତତ୍ପଶ୍ଚାତ୍ କାର୍ଯ୍ୟକ୍ରମର ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ନନ୍ଦ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଚାରା ଓ ବ୍ୟାଚ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅବଦାଲ ମହମ୍ମଦ ଅଖତର ନିଜ ବକ୍ତବ୍ୟରେ କହିଥିଲେ ଯେ, ପୂର୍ବରୁ ଅଭିଭାବକମାନେ ପିଲାମାନଙ୍କର କେବଳ ପରୀକ୍ଷାର ମାର୍କ ଉପରେ ଗୁରୁତ୍ୱ ଦେଉଥିଲେ; କିନ୍ତୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଆତ୍ମବିଶ୍ୱାସ, ନିର୍ଭୀକତା, ଚରିତ୍ର ଗଠନ ଓ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛି। “ସୁରଭି” ଭଳି ମହୋତ୍ସବ ଛାତ୍ରଛାତ୍ରୀଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ, ଦଳଗତ ଆଲୋଚନାରେ ନିଜ ମତାମତ ଉପସ୍ଥାପନ ଓ ନୂତନ ଅନୁଭୂତି ହାସଲ କରିବା ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି। ଜିଲ୍ଲାର ମୁଖ୍ୟ ଭାବରେ ପିଲାମାନଙ୍କର ଏହି ଅନ୍ତର୍ନିହିତ ଗୁଣାବଳୀ ଓ ପ୍ରତିଭାକୁ ଦେଖି ସେ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଥିଲେ।
ସ୍ୱତନ୍ତ୍ର ଅତିଥି ଶ୍ରୀଯୁକ୍ତ ସୁକୁମାର ତ୍ରିପାଠୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା, ନିୟମିତତା, ନିର୍ଭୀକତା ଓ ନୈତିକ ମୂଲ୍ୟବୋଧକୁ ଜୀବନରେ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନୁହେଁ; ଏହା ଜଣେ ଉତ୍ତମ ନାଗରିକ ଭାବରେ ଗଢ଼ି ତୋଳିବାର ମୂଳ ଆଧାର। ଛାତ୍ରଛାତ୍ରୀମାନେ ନିଜ ଲକ୍ଷ୍ୟ ସ୍ଥିର କରି ନିଷ୍ଠାର ସହିତ ଆଗକୁ ବଢ଼ିବା ସହ ନିଜର ପ୍ରତିଭା ଓ ସାମର୍ଥ୍ୟକୁ ସମାଜର ଉନ୍ନତିରେ ନିୟୋଜିତ କରିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ।
ସଭାପତି ଶ୍ରୀମତୀ ମଧୁସ୍ମିତା ନନ୍ଦ ନିଜ ଅଭିଭାଷଣରେ “ସୁରଭି” ମହୋତ୍ସବର ମହତ୍ତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ପ୍ରତ୍ୟେକ ଶିଶୁ ମଧ୍ୟରେ କିଛି ନା କିଛି ଅନନ୍ୟ ପ୍ରତିଭା ରହିଛି। ଏହି ପ୍ରତିଭାର ଚିହ୍ନଟ, ବିକାଶ ଓ ପ୍ରୋତ୍ସାହନ ଦେବା ଶିକ୍ଷକ ଓ ଅଭିଭାବକମାନଙ୍କର ମୁଖ୍ୟ ଦାୟିତ୍ୱ। ପିଲାମାନଙ୍କୁ ପାଠପଢ଼ା ସହିତ ସଙ୍ଗୀତ, ନୃତ୍ୟ, କଳା, ସାହିତ୍ୟ, ବିଜ୍ଞାନ ଓ କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ଅଂଶଗ୍ରହଣ କରିବାର ସୁଯୋଗ ଦେବା ଆବଶ୍ୟକ। ଏହାଦ୍ୱାରା ସେମାନଙ୍କର ସୃଜନଶୀଳତା, ନେତୃତ୍ୱ ଦକ୍ଷତା ଓ ସାମାଜିକ ଦାୟିତ୍ୱବୋଧର ବିକାଶ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ନିଜର ସଂସ୍କୃତି, ପରମ୍ପରା ଓ ନୈତିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ସହ ନିଜ ଜୀବନରେ ଉଚ୍ଚ ଲକ୍ଷ୍ୟ ଧାରଣ କରିବାକୁ ପରାମର୍ଶ ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଯୋଗ ଉପଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୌରିଶଙ୍କର ବେହେରା ନିଜ ବକ୍ତବ୍ୟରେ ଶିଶୁମାନଙ୍କର ସୁରକ୍ଷା, ଅଧିକାର ଓ ସମ୍ମାନଜନକ ପରିବେଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।
ଉକ୍ତ ମହୋତ୍ସବରେ ୩୩ଟି ବିଭାଗରେ କନିଷ୍ଠ, ମଧ୍ୟମ ଓ ବରିଷ୍ଠ ବର୍ଗର ସର୍ବମୋଟ ୫୪୦ ଜଣ ଛାତ୍ରଛାତ୍ରୀ ନିଜ ନିଜର ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ କରିଥିଲେ। ଏଥିସହ ୩୨ ଜଣ ଗାଇଡ୍ ଶିକ୍ଷକ, ୪୪ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଶିକ୍ଷା ବିଭାଗୀୟ ଅଧିକାରୀଙ୍କ ସମେତ ସର୍ବମୋଟ ପ୍ରାୟ ୬୭୦ ଜଣ ଅଂଶଗ୍ରହଣ କରିଥିଲେ।
ତତପଶ୍ଚାତ କୃତି ପ୍ରତିଯୋଗୀମାନଙ୍କୁ ବରେଣ୍ୟ ଅତିଥିମାନଙ୍କ ଦ୍ଵାରା ଟ୍ରଫି ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରାପ୍ତ ସୂଚନା ଅନୁଯାଇ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନେ ତା୧୨.୧୧.୨୦୨୬ ରୁ ୧୪.୧୧.୨୦୨୬ ପର୍ଯ୍ୟନ୍ତ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବାକୁଥିବା ଶିଶୁ ମହୋତ୍ସବ ସୁରଭିରେ ଭାଗନେବେ ବୋଲି ଜଣାପଡିଛି । କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ ଓ ସମଗ୍ର ଶିକ୍ଷା କାର୍ଯ୍ୟ।ଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଯୁକ୍ତ ଅମ୍ବୁଜ କୁମାର ଗଡନାୟକ ଓ ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *