କଟକ, ୨୯/୧୦/୨୦୨୬: କଟକ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଚଢ଼ାଉ କରାଯାଇ ୩ଟି ପୃଥକ ମାମଲା ରୁଜୁ କରାଯାଇଛି। ଏହି ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବିପୁଳ ପରିମାଣର ଦେଶୀ ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ୨୯ ଅକ୍ଟୋବର ୨୦୨୬ରେ କଟକ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍ ପକ୍ଷରୁ ଚୌଦ୍ୱାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ପ୍ରଥମ ମାମଲା: ଚୌଦ୍ୱାର ଥାନା ଅନ୍ତର୍ଗତ ନୃସିଂହ କଲେଜ ନିକଟ ଚାରିଘରିଆ ଅଞ୍ଚଳରୁ ରାହୁଲ କୁମାର ମଲ୍ଲିକ (୧୯)ଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୧୫୦ ଲିଟର ଦେଶୀ ମଦ, ଗୋଟିଏ ଟିଭିଏସ୍ ଜୁପିଟର ସ୍କୁଟି ଓ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା।
ଦ୍ୱିତୀୟ ମାମଲା: ଚୌଦ୍ୱାର ଥାନା ଅନ୍ତର୍ଗତ ଓ.ଟି.ଏମ୍. କଲୋନୀ ରୋଡ୍ ଅଞ୍ଚଳରୁ ଅଶୋକ ମଲ୍ଲିକ (୨୭)ଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୧୨୦ ଲିଟର ଦେଶୀ ମଦ, ଗୋଟିଏ ବାଇକ୍ ଓ ଦୁଇଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ ହୋଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୪ ହଜାର ଟଙ୍କା।
ତୃତୀୟ ମାମଲା: ଚୌଦ୍ୱାର ଥାନା ଅନ୍ତର୍ଗତ ମୁଣ୍ଡମାଳା ଛକ ଅଞ୍ଚଳରୁ ସମୀର ମଲ୍ଲିକ (୨୩)ଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୧୦୦ ଲିଟର ଦେଶୀ ମଦ ଓ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା।
ଏହି ଚଢ଼ାଉରେ ମୋଟ ୩୭୦ ଲିଟର ଦେଶୀ ମଦ ଜବତ ହୋଇଥିବା ଉଲ୍ଲେଖ ରହିଛି। ତେବେ ଜବତ ସାମଗ୍ରୀର ମୋଟ ଆନୁମାନିକ ମୂଲ୍ୟ ୨ ଲକ୍ଷ ୯୪ ହଜାର ଟଙ୍କା।
ଅବକାରୀ ମୋବାଇଲ୍ ୟୁନିଟ୍ର ଇନ୍ସପେକ୍ଟର ଭକ୍ତବତ୍ସଳ ବର୍ମାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଟିମ୍ରେ ଏସ୍ଆଇ ନିରୁପମା ସାହୁ, ଏଏସ୍ଆଇ ହରିହର ନାୟକଙ୍କ ସମେତ ଅବକାରୀ କନଷ୍ଟେବଳ ଅଜୟ କୁମାର ଜେନା, ଦେବବ୍ରତ ଓଝା, ପ୍ରିୟତମ ରଥ, ଶଙ୍କର ସିଂହ ଓ ଲକ୍ଷ୍ମଣ ବେହେରା ସାମିଲ ଥିଲେ।
କଟକ ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା।