ଜିଲ୍ଲା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ହେଲା ମୁନିଗୁଡା ମିଡ଼ିଆ ମଞ୍ଚ

ରାୟଗଡା: (ସୁରେନ୍ଦ୍ର ରଥ) ଆଞ୍ଚଳିକ ସାମ୍ବାଦିକତାକୁ ଅଧିକ ସଂଗଠିତ ଏବଂ ଶକ୍ତିଶାଳୀ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଗଠନ ‘ମୁନିଗୁଡା ମିଡ଼ିଆ ମଞ୍ଚ’ ଆନୁଷ୍ଠାନିକ ଭାବେ ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ହୋଇଛି । ଏହି ମିଶ୍ରଣ ଫଳରେ ଆଗାମୀ ଦିନରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଏକତା ବୃଦ୍ଧି ପାଇବା ସହ ସାମ୍ବାଦିକମାନଙ୍କ ସ୍ୱର ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି । ମୁନିଗୁଡା ମିଡ଼ିଆ ମଞ୍ଚର ସମସ୍ତ ସଭ୍ୟମାନଙ୍କୁ ସ୍ଵାଗତ କରିଥିଲେ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ଶ୍ୟାମ କୁମାର ଦାସ । ସମସ୍ତ ସଭ୍ୟଙ୍କୁ ପୁଷ୍ପ ଦେଇ ସମ୍ବର୍ଦ୍ଧିତ କରିଥିଲେ ସଂଘର ଯୁବ ସାମ୍ବାଦିକ ତପନ କାଡ୍ରାକା ଓ ଦୀପକ ଗେଡ଼ାପୁ । ମଞ୍ଚର ସଭାପତି ଦେବେନ୍ଦ୍ର ନାୟକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ ଏମ୍ ବିଦ୍ୟାସାଗର ।

ମିଳିଥିବା ସୂଚନା ମୁତାବକ, ଗତ ରବିନାର ଦିନ ରାୟଗଡା ସହର ସ୍ଥିତ ହୋଟେଲ କୈଳାଶରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଉଭୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଥିଲା । ମୁନିଗୁଡା ମିଡ଼ିଆ ମଞ୍ଚର ସମସ୍ତ ସଦସ୍ୟ ଏଣିକି ଜିଲ୍ଲା ସାମ୍ବାଦିକ ସଂଘର ସହଭାଗୀ ଭାବେ କାର୍ଯ୍ୟ କରିବେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକମାନେ ମତବ୍ୟକ୍ତ କରିଛନ୍ତି ଯେ, ଏହି ମିଶ୍ରଣ ଦ୍ୱାରା ମୁନିଗୁଡା ଅଞ୍ଚଳର କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା, ଅଧିକାର ଓ ସ୍ୱାର୍ଥ ରକ୍ଷା ପାଇଁ ଏକ ସୁଦୃଢ଼ ମଞ୍ଚ ମିଳିପାରିବ । ଏହାସହିତ ଗ୍ରାମାଞ୍ଚଳର ବିଭିନ୍ନ ସାମାଜିକ ସମସ୍ୟା, ସାଧାରଣ ଲୋକଙ୍କ ସୁଖ-ଦୁଃଖ ଏବଂ ଆଞ୍ଚଳିକ ବିକାଶମୂଳକ ଖବରଗୁଡ଼ିକୁ ପ୍ରଶାସନ ନିକଟରେ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚାଯାଇପାରିବ। ସାମ୍ବାଦିକମାନଙ୍କର ଏହି ଏକତାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ସ୍ୱାଗତ କରିଛନ୍ତି ।

ସାମ୍ବାଦିକ ସଂଘ ଗୁଡ଼ିକ ଏକତ୍ର ହୋଇ ଲୋକଙ୍କ ସ୍ଵର ହୋଇ କାର୍ଯ୍ୟ କରିବା ଉପରେ ମତ ପ୍ରକାଶ ପାଇଥିଲା । ଯେପରି ପୂର୍ବ ଜର୍ମାନୀ ଓ ପଶ୍ଚିମ ଜର୍ମାନୀ ତାଙ୍କର ବିଶାଳ ପାଚେରୀ ଭାଙ୍ଗି ଏକତ୍ର ହୋଇ ଜର୍ମାନୀ ରୂପେ ପରିଚିତ ହେଲେ ଓ ବିଶ୍ଵର ଏକ ଶକ୍ତିଶାଳୀ ଦେଶ ରୂପେ ଉଭା ହେଲେ, ସେହିପରି ସାମ୍ବାଦିକ ସଂଘ ଗୁଡ଼ିକ ମଧ୍ୟ ଏକତ୍ର ହେଲେ ସଂଗଠନ ଶକ୍ତ ରେ ହେବ ଓ ସମାଜ ସୁଦୃଢ ହେବ ବୋଲି ମତ ପ୍ରକାଶ ପାଇଥିଲା । କୃତ୍ରିମ ବୁଦ୍ଧିମତା କୁ ବିଶେଷଭାବେ ବ୍ୟବହାର କରି ବିଷ୍ଳେଷଣାତ୍ମକ ସମ୍ବାଦ ପରିବେଷଣ କରିବା ସାମ୍ପ୍ରତିକ ପରିସ୍ଥିତିର ଆହ୍ବାନ ବୋଲି କରିଥିଲେ ସଭାର ଅଧ୍ୟକ୍ଷ ଡଃ ବାଦଲ କୁମାର ତା । ନିଜ ସ୍ଵାର୍ଥ ପାଇଁ ସଂଘକୁ କଦାପି ବ୍ୟବହାର କରିବା ଉଚିତ ନୁହେଁ ବୋଲି କହିଥିଲେ ବରିଷ୍ଠ ସାମ୍ବାଦିକ ଦୀପକ କୁମାର ପୃଷ୍ଟି । ପ୍ରସାଦ ଲିମା ତାଙ୍କର ଅଭିଭାଷଣ ରଖିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅନୁବନ୍ଧନ ପର୍ବରେ ରାମ ପ୍ରକାଶ କରକରିଆ, ହାଡ଼ିପା ଗୌଡ଼, କୁଶ ପାଢ଼ୀ, ରମାକାନ୍ତ ପୋଡ଼ାଳ, ଅରୁଣ କୁମାର ସାହୁ, ସୁରେନ୍ଦ୍ର ଗୌଡ଼, ଜିତେନ୍ଦ୍ର ପାଢ଼ୀ, ମନୋଜ କୁମାର ଜେନା, ନିତ୍ୟାନନ୍ଦ ବୈଷ୍ଣବ, ନରୋତ୍ତମ ପାଢ଼ୀ, ମହେଶ ବହରା, ଶଙ୍କର କୌଶଲ୍ୟା, କୈଳାଶ ସ୍ୱାଇଁ, ଲଳିତ ନାଗ, ଅଜୟ ରଥ, ଅଜିତ ଗୌଡ଼, ଉମାକାନ୍ତ ନେମାଲପୁରୀ, ଲକ୍ଷ୍ମୀକାନ୍ତ ବେହେରା, କୃପାସିନ୍ଧୁ କୋସଲିଆ, ଭଗବାନ କରକରିଆ, ଦୟାନିଧି ସାହୁ ଓ ଅନ୍ୟାନ୍ୟ ଅନେକ ସାମ୍ବାଦିକ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *