ରାୟଗଡ଼ା: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ‘ଜିରୋ କାଜୁଆଲିଟି’ (ଶୂନ୍ୟ ମୃତାହତ) ଉପରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଦାୟିତ୍ୱରେ ଥିବା ପ୍ରାୟ ସମସ୍ତ ମନ୍ତ୍ରୀମାନେ ନିଜ ନିଜ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ସାରିଛନ୍ତି। ଏହି କ୍ରମରେ ଉପମୁଖ୍ୟମନ୍ତ୍ରୀ ନିଜେ ରାୟଗଡ଼ାରେ ପହଞ୍ଚିଛନ୍ତି ଏବଂ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସେ ସେଠାରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।
ବର୍ତ୍ତମାନ ରାୟଗଡ଼ାରେ ଜିଲ୍ଲାପାଳ, ଏସପି ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ସରକାରଙ୍କ ପ୍ରସ୍ତୁତି ନେଇ ଦିନ ୩ଟା ସମୟରେ ଏକ ପୁଙ୍ଖାନୁପୁଙ୍ଖ ସମୀକ୍ଷା ବୈଠକ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସକାଳେ ବର୍ଷା ହେବାର ଆଶଙ୍କା ଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାୟଗଡ଼ାରେ ବିଶେଷ ବର୍ଷା ହୋଇନାହିଁ। ଅପରାହ୍ନରେ ହେବାକୁ ଥିବା ସମୀକ୍ଷା ପରେ ହିଁ ପ୍ରକୃତ ସ୍ଥିତି ଜଣାପଡ଼ିବ, ତେବେ ରାୟଗଡ଼ାରେ ବେଶୀ ପ୍ରଭାବ ପଡ଼ିନପାରେ ବୋଲି ଆକଳନ କରାଯାଉଛି। ତେଣୁ ସାଧାରଣ ବର୍ଷାକୁ ନେଇ ଲୋକମାନେ ଆଦୌ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି।
ସବୁ ସ୍ତରରେ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମନ୍ତ୍ରୀମାନେ ନିଜ ହେଡକ୍ୱାଟରରେ ଉପସ୍ଥିତ ଥିବା ବେଳେ ବରିଷ୍ଠ ତଥା ଉଚ୍ଚସ୍ତରୀୟ ଅଧିକାରୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଆସି ପହଞ୍ଚିସାରିଛନ୍ତି। ଲୋକଙ୍କ ଧନଜୀବନର ସୁରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ତ୍ରୁଟି ଛଡ଼ାଯିବ ନାହିଁ ଏବଂ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଲୋକମାନେ ସରକାରଙ୍କ ଉପରେ ଭରସା ରଖି ଶାନ୍ତିରେ ରହିବାକୁ ସେ ନିବେଦନ କରିଛନ୍ତି।