କଟକ, ୧୬।୧୦ : ବିଶ୍ୱ ଖାଦ୍ୟ ଦିବସ ଅବସରରେ ଓଡ଼ିଶା ପ୍ରୋଜେକ୍ଟ ଆଣ୍ଡ ମାର୍କେଟିଂ ଡେଭଲପମେଣ୍ଟ ସେଣ୍ଟର (ଓପିଏମ୍ଡିସି) ପକ୍ଷରୁ କଟକସ୍ଥିତ ପରୀକ୍ଷଣ ପ୍ରୟୋଗଶାଳାର ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଖାଦ୍ୟର ଗୁଣବତ୍ତା ବୃଦ୍ଧି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ଏବଂ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ପ୍ରଦାନ ଉପରେ ଏହି ଆଲୋଚନାଚକ୍ରରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବଜାରର ଚାହିଦା ଅନୁଯାୟୀ ଉତ୍ପାଦନ ସହ ଖାଦ୍ୟର ଗୁଣବତ୍ତା ଓ ମାନ ବଜାୟ ରଖିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ।
ଓପିଏମ୍ଡିସିର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ ବିଶ୍ୱ ଖାଦ୍ୟ ଦିବସର ଉଦ୍ଦେଶ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିୟୋଜିତ ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ଦିଗ୍ଦର୍ଶନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ମନୋଜ କୁମାର ମହାପାତ୍ର ଏବଂ ଓଡ଼ିଶାର ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଯୋଜନାର ମୁଖ୍ୟ ପ୍ରକାଶ ଶୁକ୍ଳା ଯୋଗଦେଇଥିଲେ। ଶ୍ରୀ ଶୁକ୍ଳା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଉଦ୍ୟୋଗୀଙ୍କ ଆବଶ୍ୟକତା, ଭିତ୍ତିଭୂମିର ବିକାଶ ଏବଂ ଏହି କ୍ଷେତ୍ରରେ ରହିଥିବା ସୁଯୋଗ ସମ୍ପର୍କରେ ନିଜର ମତ ରଖିଥିଲେ।
ସେହିପରି ରାଷ୍ଟ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ବୈଜ୍ଞାନିକ ଡ. ସୁପ୍ରିୟା ପ୍ରିୟଦର୍ଶିନୀ ମହିଳା ଉଦ୍ୟୋଗୀମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ପରାମର୍ଶ ପ୍ରଦାନ କରିଥିଲେ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ଓ ଉଦ୍ୟୋଗ ପ୍ରତିଷ୍ଠାର ସୁଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି ଅବସରରେ କେତେଜଣ ମହିଳା ଉଦ୍ୟୋଗୀଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ଚମ୍ପକଲତା ଦାସ,ବି. ମାଧବୀ,ମଧୁସ୍ମିତା ମହାନ୍ତି ଲିପିସ୍ମିତା ଲେଙ୍କା, ଚିତ୍ରଭାନୁ ପରିଡ଼ା, ଶୁଭମଜ୍ଯୋତି ଜେନା,ଦେବହୁତି ପ୍ରଧାନ ଓ କାଦମ୍ବିନୀ ମହାନ୍ତି,ଇତିଲତା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ମଧୁସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।