
ଜନମ ମରଣ ମଝିରେ ଜୀବନ
ଦୁଇ ଦିନର ସେ କୁଣିଆ ,
ମିଛ ସଂସାର ରେ କରିବାକୁ ଲୀଳା
ନଅଣ୍ଟେ ଏହି ଦୁନିଆ ।
ଭୁଲିଯାଇ ଧର୍ମ କରେ ଅପକର୍ମ
ବଢ଼ାଏ ସମ୍ପତି କାୟା ,
ସଂସାର ଜଞ୍ଜାଳେ ହେଉଥାଏ ଘାରି
ନଛାଡଇ ମୋହ ମାୟା ।
ପାପ ପଙ୍କେ ବୁଡ଼ି ଛାଡୁଥାଏ ରଡି
କହେ ସବୁ ଅଟେ ମୋର ,
ସରିଗଲେ ନାଟ ଛୁଟିଯିବ ଘଟ
ଧନ ଖାଇଯିବେ ପର ।
ଆସିଥିଲୁ ଏକା ଯିବୁ ଏକା ହୋଇ
ସାଙ୍ଗରେ ନଜିବେ କେହି ,
ଛଅଖଣ୍ଡ କାଠରେ ମଶାଣି ଭୂଇଁରେ
ଜାଳି ଦେବେ ତୋର ଜୁଇ ।
ଏନ୍ତୁଡ଼ି ଶାଳ ରୁ ମଶାଣିର ଜୁଇ
ଦୁଇ ନିଆଁରେ ଯେ ଜୀବନ ,
ସେ ଦୁଇ ନିଆଁରେ ଜଲଇ ମଣିଷ
ହୋଇ କେତେ ହିନିମ।ନ ।
ଆଜି ଗଲେ ମରି ସବୁ ଯିବ ସରି
କାଲି ହେବ ଦୁଇ ଦିନ ,
ଦିନ କେତେ ଆଉ ବିତିଗଲା ପରେ
କାହାରି ନଥିବ ମନ ।
ଜୀବନ ଯୌବନ ନୁହେଁ ଚିରସ୍ଥାୟୀ
ପାଣିର ଫୋଟକା ପରି ,
ମହାଶଶୁନ୍ୟେ କେବେ ଯିବରେ ମିଳାଇ
କେହି ନପାରନ୍ତି ବାରି ।
ଆଜିର ମଣିଷ ମାୟା ରେ ପୂରିତ
ନବୁଝେ ଜୀବନ ଧାରା ,
ବୃଥା ଅହଂକାର ଗରବ ଦେଖାଇ
ବଞ୍ଚଇ ଜୀବନ ସାରା ।
ଧର୍ମ କର୍ମ ସବୁ ଯାଇଥାଏ ଭୁଲି
ସଂସାର ଜାଲରେ ଛନ୍ଦି ,
ଯେତେ ଅପକର୍ମ ପାପ କିରିଯାଏ
ଯମ ନର୍କେ କରେ ବନ୍ଦୀ ।
ସଂସାର ସରଣୀ ଜୀବନ ତରଣୀ
ଭାବ ଜଳେ ଭାସୁ ଥାଏ ,
ଥିଲେ କର୍ମ ବଳ ଭବ ସିନ୍ଧୁ ଜଳ
ଧର୍ମ ବଳେ ପାରି ହୁଏ ।
ଜନ୍ମ ଆଉ ମୃତ୍ୟୁ ଚିରନ୍ତନ ସତ୍ୟ
ସତ୍ୟ ପଥେ ଚଳି ଯିବା ,
କରିବା ସୁକର୍ମ ଦୁନିଆ ପାଇଁକି
ପ୍ରଭୁ କୃପା ଲଭୁ ଥିବା ।
ସତ୍ୟ ନ୍ୟାୟ ଧର୍ମେ କର୍ମ କରୁଥିଲେ
ରଖି ଯାଇଥିବ ଯଶ ,
ମଲା ପରେ ଯାହା ରହିଥିବ ତାହା
ଜୀବନର ଅବଶେଷ ।
ସମୀର ରଞ୍ଜନ ଦାସ
କଲ୍ୟାଣୀ କୁଟୀର (ଭିରଙ୍ଗ )
ଏରସମା , ଜଗତସିଂହପୁର ,