କଟକ ଲାଇଟ୍ ହାଉସର ତୃତୀୟ ବର୍ଷ ପୂର୍ତ୍ତି ଉତ୍ସବ

• ଅନ୍ଧାରରେ ଆଲୋକର ଦୀପ ଜାଳୁଛି କଟକ ଲାଇଟ୍ ହାଉସ: ମେୟର ଶ୍ରୀ ସୁବାସ ସିଂହ
• କଟକ ଲାଇଟ୍ ହାଉସ୍ ନିଜ ନାମକୁ ସାର୍ଥକ କରୁଛି: କମିଶନର
• ଲାଇଟ୍ ହାଉସ୍ ହେଉଛି ଏକ ମଣିଷ ଗଢ଼ା କାରଖାନା: ଡେପୁଟି କମିଶନର

କଟକ, ୧୪ ଅକ୍ଟୋବର ୨୦୨୬: କଟକ ମହାନଗର ନିଗମର ୪୨ ନମ୍ଵର ଓ୍ଵାର୍ଡରେ ଅବସ୍ଥିତ କଟକ ଲାଇଟ ହାଉସର ଆଜି ତୃତୀୟ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହୋଇଛି I ଯୁବପିଢ଼ିଙ୍କୁ ଦକ୍ଷତା ପ୍ରଦାନ କରି ତାଙ୍କୁ ସ୍ୱାବଲମ୍ବୀ କରାଇବାର ଉଦ୍ଦେଶ୍ୟ ନେଇ ୨୩ ଅଗଷ୍ଟ ୨୦୨୩ରେ ଆରମ୍ଭ ହୋଇଥିବା ଲାଇଟ୍ ହାଉସକୁ ଏବେ ୩ ବର୍ଷ ପୁରିଛିI ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ କଟକ ମହାନଗର ନିଗମର ସହଯୋଗ ପାଇଁ ଏହା ସମ୍ଭବ ହୋଇ ପାରିଛି I ଯୁବପିଢ଼ିଙ୍କୁ ବିଭିନ୍ନ ବୃତ୍ତିଭିତ୍ତିକ ଦକ୍ଷତା ପ୍ରଦାନ କରି ଆତ୍ମନିର୍ଭରଶୀଳ ହେବାର ସୁଯୋଗ ଦେଇ ଆସୁଛି ଲାଇଟ୍ ହାଉସ୍। ଦକ୍ଷତା ବିକାଶ ସହିତ ନିଯୁକ୍ତିର ସୁଯୋଗ ସୃଷ୍ଟି କରି ଏହା ଯୁବପିଢ଼ିଙ୍କ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି।

ଏହି ଉତ୍ସବରେ କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, କମିଶନର ସୁଶ୍ରୀ କିରନଦୀପ କୌର ସହୋତା, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ପ୍ରଳୟା ବେଉରା, ସ୍ଥାନୀୟ କର୍ପୋରେଟର ସୁଶ୍ରୀ ମୀନା ସାହୁ, ଡେପୁଟି କମିଶନର ଶ୍ରୀ ଜୁବୁଲି ଚରଣ ବେହେରା, ଆସିଷ୍ଟାଣ୍ଟ କମିଶନର ଶ୍ରୀମତୀ ସ୍ୱାତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ I

ଏହି ଉତ୍ସବରେ ଯୋଗ ଦେଇ ମେୟର ଶ୍ରୀ ସୁବାସ ସିଂହ କହିଥିଲେ, ଓଡ଼ିଶାରେ କୌଶଳ ଓ ଦକ୍ଷତାଭିତ୍ତିକ ତାଲିମ ପ୍ରଦାନ କରି ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ କଟକ ଲାଇଟ୍ ହାଉସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦକ୍ଷତା ବିକାଶ ମାଧ୍ୟମରେ ନୂଆ ସୁଯୋଗ ସୃଷ୍ଟି କରିବା ସହ ଅନେକଙ୍କ ଜୀବନରେ ଆଶା ଓ ଆତ୍ମବିଶ୍ୱାସର ଆଲୋକ ଭରିଦେଉଛି ଏହି ଅନୁଷ୍ଠାନ। ଆଜି ଅନ୍ଧାରରେ ଆଲୋକର ଦୀପ ଜାଳି ଯୁବପିଢ଼ିଙ୍କୁ ନୂଆ ଦିଗ ଦେଖାଇଛି କଟକ ଲାଇଟ୍ ହାଉସ୍।

କମିଶନର ସୁଶ୍ରୀ କିରନଦୀପ କୌର ସହୋତା କହିଥିଲେ, ଆଗ୍ରହୀ ଯୁବକ ଯୁବତୀଙ୍କୁ ସ୍କିଲଡ୍ କରିବାରେ ସାହାଯ୍ୟ କରୁଛି ଲାଇଟ୍ ହାଉସ୍। ତିନି ବର୍ଷର ଏହି ଯାତ୍ରାରେ କଟକ ଲାଇଟ୍ ହାଉସ୍ ନିଜ ନାମକୁ ସାର୍ଥକ କରିପାରିଛି।

ଉତ୍ସବରେ ଯୋଗ ଦେଇ ଡେପୁଟି କମିଶନର ଶ୍ରୀ ଜୁବୁଲି ଚରଣ ବେହେରା କହିଥିଲେ ଯେ, ଲାଇଟ୍ ହାଉସ୍ କେବଳ ଚାକିରି ପାଇଁ ପିଲାଙ୍କୁ ଦକ୍ଷତା ପ୍ରଦାନ କରେନି ବରଂ ଏହା ହେଉଛି ଏକ ମଣିଷ ଗଢ଼ା କାରଖାନା I ସମସ୍ତଙ୍କୁ ଶୁଭେଚ୍ଛା ଦେବା ସହ ସେ ଏହାକୁ ଆହୁରି ଆଗକୁ ନେବା ପାଇଁ କଟକ ମହାନଗର ନିଗମ ସବୁବେଳେ ସହଯୋଗ ଦେବ ବୋଲି କହିଥିଲେ।

ଗତ ତିନି ବର୍ଷ ମଧ୍ୟରେ କଟକ ଲାଇଟ୍ ହାଉସରେ ୧୭୦୩ ଜଣ ଯୁବକ-ଯୁବତୀ ଫାଉଣ୍ଡେସନ କୋର୍ସ ସମାପ୍ତ କରିଥିବା ବେଳେ, ସେଥିମଧ୍ୟରୁ ୮୫୪ ଜଣ ବିଭିନ୍ନ ସ୍ଥାନରେ ଚାକିରି ପାଇ ସଫଳ ହେବା ସହ ସ୍ଵବଲମ୍ବୀ ହୋଇ ପାରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଲାଇଟ୍ ହାଉସ୍‌ର କ୍ଲଷ୍ଟର ହେଡ୍ ସୁଶ୍ରୀରେଖା ଜେନା, କଟକ ସେଣ୍ଟର ହେଡ୍ ବିଶ୍ୱଜିତ ମିଶ୍ର, ପ୍ଲେସମେଣ୍ଟ ୟୁଥ୍ କୋ-ଅର୍ଡିନେଟର ତେଜସ ତାପସ ପଟ୍ଟନାୟକ, ଆଉଟ୍‌ରିଚ୍ କୋ-ଅର୍ଡିନେଟର ଦେବୀ ପ୍ରସାଦ ରାଉତରାୟ ଏବଂ ଫାସିଲିଟେଟର ଦିବ୍ୟ ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଥିବା ଯୁବକଯୁବତୀଙ୍କ ମଧ୍ୟରେ ମଧୁସ୍ମିତା ପାତ୍ର (SCB MCH, କଟକ), ରୁକେୟା ବେଗମ୍ (ବେଲଜିୟମ୍ ୱାଫଲ୍), ରାଜେଶ ବେହେରା (ଆଣ୍ଡ୍ରୋମେଡା ସେଲ୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍), ହିମାଂଶୁ ସାମଲ (ଆଡଭିକ୍ ଏନର୍ଜି ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍) ଏବଂ ଫୁଲମତୀ ମହାନ୍ତ (ଷ୍ଟାରଟେକ୍ ପ୍ରାଇଭେଟ୍ ଲିମିଟେଡ୍)ଙ୍କୁ ସେମାନଙ୍କ ସଫଳତା ଓ ନିଯୁକ୍ତି ଲାଭ ପାଇଁ ପୁରସ୍କୃତ କରାଯାଇଥିଲା।

ପୁରସ୍କୃତ ଯୁବକଯୁବତୀମାନେ ନିଜ ଜୀବନର ସଂଘର୍ଷମୟ ଯାତ୍ରା ଓ ସଫଳତାର ଅନୁଭୂତି ବାଣ୍ଟିଥିଲେ। ଲାଇଟ୍ ହାଉସ୍‌ରେ ମିଳିଥିବା ଦକ୍ଷତା ବିକାଶ ପ୍ରଶିକ୍ଷଣ, ମାର୍ଗଦର୍ଶନ ଓ ନିଯୁକ୍ତି ସୁଯୋଗ କିପରି ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ଆତ୍ମବିଶ୍ୱାସ ବୃଦ୍ଧି କରିଛି ଏବଂ ଆତ୍ମନିର୍ଭରଶୀଳ ହେବାର ପଥ ଦେଖାଇଛି, ସେ ସମ୍ପର୍କରେ ସେମାନେ ନିଜ ଅନୁଭୂତି ପ୍ରକାଶ କରିଥିଲେ।

ଏହି ଅବସରରେ ଲାଇଟ୍ ହାଉସ୍‌ର ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ ଏବଂ ସେମାନଙ୍କ ଭବିଷ୍ୟତ ଗଠନରେ ସହଯୋଗ କରୁଥିବା ନିଯୁକ୍ତିଦାତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଷ୍ଟାରଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ଏଚ୍‌ଆର୍ ଶତୃପା ପଟ୍ଟନାୟକ ଏବଂ ଆଣ୍ଡ୍ରୋମେଡା ସେଲ୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍‌ର ଉପସଭାପତି ଅରବିନ୍ଦ ରଥଙ୍କୁ ଲାଇଟ୍ ହାଉସ୍ ସହ ସେମାନଙ୍କ ସହଭାଗିତା ଓ ନିଯୁକ୍ତି କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧନା ଜଣାଯାଇଥିଲା। କଟକ ସେଣ୍ଟରର ଫାସିଲିଟେଟର ଦିବ୍ୟ ପ୍ରକାଶ ବେହେରା ସଭା ପରିଚାଳନା କରିଥିଲା ବେଳେ ସେଣ୍ଟର ହେଡ୍ ବିଶ୍ୱଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *