ଐତିହାସିକ ବାଲିଯାତ୍ରା କଟକ -୨୦୨୬: ପ୍ଲଟ୍ ପଞ୍ଜୀକରଣକୁ ନେଇ ବ୍ୟବସାୟୀଙ୍କ ଉତ୍ସାହଆଜି ସୁଦ୍ଧା ୧୦୦ରୁ ଊର୍ଦ୍ଧ୍ୱ ପ୍ଲଟ୍ ପାଇଁ ପଞ୍ଜୀକରଣ


କଟକ ତା ୧୨.୧୦.୨୦୨୬ ରିଖ : ଐତିହାସିକ ବାଲିଯାତ୍ରା କଟକ -୨୦୨୬ ପାଇଁ ପ୍ଲଟ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ସହ ବ୍ୟବସାୟୀ ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିବା ପଞ୍ଜୀକରଣ ପ୍ରକ୍ରିୟାରେ ଆଜି ସୁଦ୍ଧା ୧୦୦ରୁ ଊର୍ଦ୍ଧ୍ୱ ପ୍ଲଟ୍ ପାଇଁ ପଞ୍ଜୀକରଣ ହୋଇସାରିଛି। ଚଳିତ ବର୍ଷ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସୁବିଧାଜନକ କରାଯାଇଛି। କ୍ଷୁଦ୍ର ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନ, ଉଦ୍ୟୋଗ ସଂସ୍ଥା ତଥା ଅନ୍ୟ ଆଗ୍ରହୀ ବ୍ୟକ୍ତିବିଶେଷ ଅନଲାଇନ୍‌ରେ katakabalijatra.net କିମ୍ବା kataka.odisha.gov.in ୱେବ୍‌ସାଇଟ୍‌କୁ ଯାଇ ନିଜ ପସନ୍ଦର ପ୍ଲଟ୍ ପାଇଁ ପଞ୍ଜୀକରଣ କରିପାରିବେ। ଏଥିସହ ପୂର୍ବବର୍ଷ ପରି ବାରବାଟୀ ପ୍ୟାଲେସ୍‌ରେ ଅଫ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ପଞ୍ଜୀକରଣର ସୁବିଧା ରହିଛି। ଏହି ସୁବିଧା ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ।
ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଅକ୍ଟୋବର ୧୦ରୁ ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ। ପଞ୍ଜୀକରଣ ପରେ ନଭେମ୍ବର ୨ରୁ ୭ ତାରିଖ ପର୍ଯ୍ୟନ୍ତ ପ୍ଲଟ୍ ନିଲାମ ଏବଂ ନଭେମ୍ବର ୯ ଓ ୧୦ ତାରିଖରେ ସ୍ୱତନ୍ତ୍ର ନିଲାମ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି।
ବାଲିଯାତ୍ରା କେବଳ ଏକ ଐତିହାସିକ ଓ ସାଂସ୍କୃତିକ ମହୋତ୍ସବ ନୁହେଁ, ଏହା ହଜାର ହଜାର କ୍ଷୁଦ୍ର ବ୍ୟବସାୟୀ, ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଜୀବିକା ଓ ବ୍ୟବସାୟିକ ସୁଯୋଗର ଏକ ବୃହତ୍ ମଞ୍ଚ। ତେଣୁ ଆଗ୍ରହୀ ବ୍ୟବସାୟୀମାନେ ଧାର୍ଯ୍ୟ ସମୟସୀମା ମଧ୍ୟରେ ନିଜ ନିଜର ପ୍ଲଟ୍ ପଞ୍ଜୀକରଣ କରାଇନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *