
କଟକ : କଟକ ମହାନଗର ନିଗମ ପକ୍ଷରୁ ଆଜି ଶୁକ୍ରବାର ଦିନ ସହରରେ ଦୁଇ ବରପୁତ୍ରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି. ଖାନନଗର ଠାରେ ବିପ୍ଲବୀ ବାଳକ ବାଜି ରାଉତଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲାବେଳେ ତୁଳସୀପୁର ସ୍ଥିତ ଦୟାଶ୍ରମ ନିକଟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବୀଣ ରାଜନୀତିଜ୍ଞ ସ୍ବର୍ଗତଃ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି. ଖାନନଗର ଠାରେ ସୁପ୍ରିମକୋର୍ଟର ପ୍ରାକ୍ତନ ପ୍ରଧାନ ବିଚାରପତି ତଥା ଏସ ଆଇ ଟି ର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ, ସାଂସଦ ସୁଲତା ଦେଓ, ମେୟର ଶ୍ରୀ ସୁବାସ ସିଂ, ସିଏମସି କମିଶନର କିରଣଦୀପ କୌର ସହୋତା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବାଜି ରାଉତଙ୍କର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି କହିଲେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବାଳକ ବାଜି ରାଉତଙ୍କର ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ. ବାର ବର୍ଷର ବାଳକ ଅତି ସାହସର ସହିତ ଇଂରେଜ ସରକାରଙ୍କୁ ମୁକାବିଲା କରି ଇଂରେଜମାନଙ୍କ ଗୁଳିରେ ପ୍ରାଣତ୍ୟାଗ କରି ଶହୀଦ ହୋଇଯାଇଥିଲେ. କବି ସଚ୍ଚି ରାଉତରାୟ ବାଜି ରାଉତଙ୍କର ଲୋମଟାଙ୍କୁରା କାହାଣୀ ଚିତ୍ରଣ କରିଥିଲେ, ଯାହାକି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଆହୁରି ଅଧିକ ପ୍ରେରଣା ଯୋଗାଇଥିଲା. ତୁଳସୀପୁର ସ୍ଥିତ ଦୟାଶ୍ରମ ନିକଟରେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରି କହିଲେ ଓଡ଼ିଶାର ରାଜନୈତିକ ଇତିହାସ କ୍ଷେତ୍ରରେ ଜାନକୀବଲ୍ଲଭ ପଟ୍ଟନାୟକ ଏକ କିମ୍ବଦନ୍ତୀ ପୁରୁଷ. ନବଉତ୍କଳର ନିର୍ମାଣ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି. ସେ ଏକାଧାରରେ ଜଣେ ପ୍ରବୀଣ ରାଜନୀତିଜ୍ଞ, ସାହିତ୍ୟିକ, ସାମ୍ବାଦିକ ଏବଂ ସମାଜସେବୀ ଭାବରେ ପରିଚିତ. ସେ କଟକର ଗର୍ବ ଓ ଗୌରବ। ଓଡିଶାର ଶିଳ୍ପାୟନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ. ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା,ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ଆଇନଜୀବୀ ଧରଣୀଧର ନାୟକ, ମେୟର ସୁବାସ ସିଂ, , ପ୍ରଫୁଲ୍ଲ ସିଂ, ବିଧାୟିକା ସୋଫିଆ ଫିରଦୋଷ, ସାଂସଦ ସଂତୃପ୍ତ ମିଶ୍ର,ଅତିଥି ଭାବେ ଯୋଗଦେଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କର ଜୀବନ ବ୍ୟାପି ସାହିତ୍ୟ ସାଧନା ଉପରେ ଆଲୋକପାତ କରିଥିଲେ। ମେୟର ଦିବସ ସିଂ ଙ୍କ ର ଅଧକ୍ଷତାରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଶେଷରେ ସ୍ଥାନୀୟ କର୍ପୋରେଟର ବିକାଶ ବେହେରା ଧନ୍ୟବାଦ୍ ଦେଇଥିଲେ। ଆଇନଜୀବୀ ଭାରତୀ ଦାସ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ।