

ରାୟଗଡା :
ତିନିଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତକ୍ରମରେ ବିଲେଷୁସ୍ଥିତ ପିଏମ୍ଶ୍ରୀ ସରକାରୀ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ସରୋଜ କୁମାର ବେହେରା ପରିଦର୍ଶନ କରିଛନ୍ତି। ପରିଦର୍ଶନ କାଳରେ ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ ଉପସ୍ଥିତ ଥିଲେ। ଏହି ଅବସରରେ ସେ ବିଦ୍ୟାଳୟର ଶୈକ୍ଷିକ ପରିବେଶ, ଭିତ୍ତିଭୂମିର ବିକାଶ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରତିଭା ସମ୍ପର୍କରେ ଅବଗତ ହୋଇଥିଲେ।
ଭିତ୍ତିଭୂମି ସୁଦୃଢ ନଥିବା ସତ୍ତ୍ୱେ ପରିଦର୍ଶନ ସମୟରେ ସମ୍ପାଦକ ଶ୍ରୀ ବେହେରା ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିବାକ୍ରମରେ ସେମାନଙ୍କର ଉତ୍ସାହ, ସୃଜନଶୀଳତା ଓ ଅନ୍ତର୍ନିହିତ ପ୍ରତିଭାକୁ ଅନୁଧ୍ୟାନ କରିଥିଲେ। ପିଏମଶ୍ରୀ ବିଦ୍ୟାଳୟ ସମୂହରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏଥିସହ ବିଦ୍ୟାଳୟର ଶିକ୍ଷକମାନଙ୍କ ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ଚାଲିଥିବା ସମସ୍ତ ଶୈକ୍ଷିକ ଓ ସହ ଶୈକ୍ଷିକ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ବିଦ୍ୟାଳୟରେ ଚାଲିଥିବା ଅଭିନବ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ଶିକ୍ଷକ ଡ. ଦ୍ବିତୀ ଚନ୍ଦ୍ର ସାହୁ ଅବଗତ କରାଇଥିଲେ। ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକ୍ରମରେ ଚାଲୁଥିବା ଇଲୋକ୍ଟ୍ରୋନିକ୍ସ ଓ ହାର୍ଡୱେର ଏବଂ ଟୁରିଜିମ ଓ ହସପିଟାଲିଟି ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପଭିତ୍ତିକ ଶୈକ୍ଷିକ ଉପସ୍ଥାପନାରେ ସେ ଅଭିଭୂତ ହୋଇପଡ଼ିଥିଲେ।
ବିଦ୍ୟାଳୟ ପରିଦର୍ଶନ ପରେ ପରିଦର୍ଶକ ପୁସ୍ତିକାରେ ସେ ନିଜର ମତାମତ ଓ ଉତ୍ସାହବର୍ଦ୍ଧକ ବାର୍ତ୍ତା ଲିପିବଦ୍ଧ କରିଥିଲେ। ଏହା ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଭିତ୍ତିଭୂମିର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପକୁ ଆହୁରି ଉତ୍ସାହିତ କରିଛି ବୋଲି ପ୍ରଧାନଶିକ୍ଷକ ଏସ ଆର ଲାଡି କହିଛନ୍ତି।
ଏହି ପରିଦର୍ଶନ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ ହୋଇଥିବାବେଳେ ଗସ୍ତକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିସି ପ୍ଲାନିଂ କୋଡିନେଟର ସୁରେନ୍ଦ୍ର କୁମାର ସାଥୁଆ ଏବଂ ପ୍ରୋଗ୍ରାମ କୋଡିନେଟର ଦିଲୀପ କୁମାର ସାବତ ସମେତ ବିଲେଷୁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।