
- ତୃତୀୟ ଦିନରେ ଜୋନ୍–୩ ଓ ଜୋନ୍–୪ର ୧୫୦ରୁ ଅଧିକ ସ୍ୱଚ୍ଛ ହିରୋ ସମ୍ବର୍ଦ୍ଧିତ
- ତିନିଦିନରେ ୭୫୦ରୁ ଅଧିକ ସ୍ୱଚ୍ଛ ଯୋଦ୍ଧାଙ୍କୁ ସମ୍ମାନିତ କଲା କେଏମସି
- ପରିମଳ କର୍ମୀଙ୍କ ନିଃସ୍ୱାର୍ଥ ସେବା ପାଇଁ ସ୍ୱଚ୍ଛତା ମାପକାଠିରେ କଟକ ଅଗ୍ରଣୀ ହେଉଛି: ମେୟର
- ସ୍ୱଚ୍ଛକର୍ମୀ କେବଳ ୱାର୍କଫୋର୍ସ ନୁହନ୍ତି, ସେମାନେ କଟକ ପରିବାରର ଗୁରୁତ୍ୱପୂର୍ଣ୍ଣ ଅଂଶ: କମିଶନର
କଟକ, ୮ ଅକ୍ଟୋବର ୨୦୨୬: କଟକ ମହାନଗର ନିଗମ ପକ୍ଷରୁ ସହରକୁ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବାରେ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିବା ସ୍ୱଚ୍ଛ ଯୋଦ୍ଧାମାନଙ୍କ ସମ୍ମାନ୍ନାର୍ଥେ ଆୟୋଜିତ ତିନିଦିନିଆ ‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ–୨୦୨୬’ ଓ ‘ବଡ଼ାଖାନା’ ଆଜି ଉଦଯାପିତ ହୋଇଛି। ଉଦଯାପନୀ ଦିବସରେ କେଏମସି ଜୋନ୍–୩ ଓ ଜୋନ୍–୪ ଅଧୀନରେ କାର୍ଯ୍ୟରତ ୧୫୦ରୁ ଅଧିକ ସ୍ୱଚ୍ଛ କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ତିନିଦିନ ମଧ୍ୟରେ ମୋଟ୍ ୭୫୦ରୁ ଅଧିକ ସ୍ୱଚ୍ଛ ଯୋଦ୍ଧାଙ୍କୁ କେଏମସି ପକ୍ଷରୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଛି।
କଟକ ସହରର ପ୍ରତ୍ୟେକ ସକାଳ ଯେଉଁମାନଙ୍କ ପରିଶ୍ରମରୁ ସ୍ୱଚ୍ଛତାର ନୂଆ ଆରମ୍ଭ ହୁଏ, ସେହି ସ୍ୱଚ୍ଛ କର୍ମୀମାନଙ୍କ ପ୍ରତି କୃତଜ୍ଞତା, ସମ୍ମାନ ଓ ସ୍ୱୀକୃତି ଜଣାଇବା ଥିଲା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ସଫେଇ କର୍ମୀ, କୁଲି, ଡ୍ରାଇଭର, ଲୋଡର, ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା କର୍ମୀଙ୍କ ସମେତ ସାନିଟେସନ୍ ଇନ୍ସପେକ୍ଟର ଓ ସାନିଟେସନ୍ ଏକ୍ସପର୍ଟମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଛି।
ଉଦଯାପନୀ ସମାରୋହରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେଏମସି ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ ଓ କମିଶନର ସୁଶ୍ରୀ କିରନଦୀପ କୌର ସହୋତାଙ୍କ ସହ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, କର୍ପୋରେଟର ଏବଂ କେଏମସିର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ସାନିଟେସନ୍ ବିଭାଗର ଡେପୁଟି କମିଶନର ଶ୍ରୀ ଜୁବୁଲି ଚରଣ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, କଟକ ସହରର ପରିମଳ ଓ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ବଡ଼ି ଭୋରରୁ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇ ଆସୁଥିବା ସ୍ୱଚ୍ଛ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିବା କେଏମସି ପାଇଁ ଗର୍ବର ବିଷୟ। ସେମାନଙ୍କ ନିଷ୍ଠା ଓ ନିରବଚ୍ଛିନ୍ନ ସେବା ସହରର ସ୍ୱଚ୍ଛତା ବ୍ୟବସ୍ଥାର ମୂଳ ଶକ୍ତି ବୋଲି ସେ କହିଥିଲେ। ବନ୍ଦେ ମହାନଦୀ, ରୂପାୟନ, ବ୍ଲାକ୍ ସୋଲଜର ଫ୍ଲାଇଜ୍, ଏଫଏସଟିପି, ଗରିମା, ନମସ୍ତେ ପ୍ରଭୃତି ଯୋଜନା ଓ ନୂଆ କାର୍ଯ୍ୟକ୍ରମ ସଂପର୍କରେ ସେ ସୂଚନା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ କେଏମସି କମିଶନର ସୁଶ୍ରୀ କିରନଦୀପ କୌର ସହୋତା କହିଥିଲେ ଯେ, “ସ୍ୱଚ୍ଛକର୍ମୀମାନେ କେବଳ ଆମ କେଏମସିର ୱାର୍କଫୋର୍ସ ନୁହନ୍ତି, ସେମାନେ ଆମ କଟକ ପରିବାରର ଜଣେ ଜଣେ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆପଣମାନେ କଟକ ପାଇଁ କେବଳ କାମ କରୁନାହାନ୍ତି ବରଂ ନିଜ ପରିଶ୍ରମରେ କଟକକୁ ସ୍ୱଚ୍ଛ ଓ ସୁନ୍ଦର ଭାବେ ଗଢ଼ି ତୋଳୁଛନ୍ତି। ଆପଣମାନଙ୍କ ପରି ହିରୋମାନଙ୍କୁ ପାଇଁ କେଏମସି ଗର୍ବିତ।”
ମେୟର ଶ୍ରୀ ସୁବାସ ସିଂହ କହିଥିଲେ ଯେ, ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକୁ ସ୍ୱାଧୀନତା ସହ ସମାନ ଗୁରୁତ୍ୱ ଦେଇଥିଲେ। ତେଣୁ ସହରର ସ୍ୱଚ୍ଛତା ପାଇଁ ପ୍ରତିଦିନ ନିରବରେ କାମ କରୁଥିବା ସ୍ୱଚ୍ଛ କର୍ମୀମାନେ ହେଉଛନ୍ତି ଆମର ନିରବ ଯୋଦ୍ଧା। ସେମାନଙ୍କ ନିଃସ୍ୱାର୍ଥ ସେବା ଓ ନିଷ୍ଠା ପାଇଁ କଟକ ସ୍ୱଚ୍ଛତା ମାପକାଠିରେ ଦେଶରେ ଅଗ୍ରଣୀ ହେବା ଦିଗରେ ଆଗେଇ ଚାଲିଛି। ହଜାର ବର୍ଷର ଐତିହ୍ୟବାହୀ କଟକ ସେମାନଙ୍କ ପରିଶ୍ରମ ଓ ନିଷ୍ଠା ପାଇଁ ଆଜି ସଗୌରବେ ଆଗେଇ ଚାଲିଛି ବୋଲି ସେ କହିଥିଲେ।
ଉତ୍ସବର ତୃତୀୟ ଦିନରେ ଜି. ମଞ୍ଜୁ ସର୍ଭିସେସ ଦ୍ୱାରା ପରିଚାଳିତ କେଏମସିର ଜୋନ୍–୩ ଓ ଜୋନ୍–୪ ଅଧୀନରେ ଥିବା ୨୦ଟି ୱାର୍ଡରେ କାର୍ଯ୍ୟରତ ୧୫୦ରୁ ଅଧିକ ସ୍ୱଚ୍ଛ କର୍ମୀଙ୍କୁ ‘ସ୍ୱଚ୍ଛ ଚାମ୍ପିଅନ୍’ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସାନିଟେସନ୍ ଇନ୍ସପେକ୍ଟର ଓ ସାନିଟେସନ୍ ଏକ୍ସପର୍ଟମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ଜୋନ୍–୩ ଓ ଜୋନ୍–୪ ଅନ୍ତର୍ଗତ ବିଭିନ୍ନ ୱାର୍ଡର କର୍ପୋରେଟରମାନଙ୍କୁ ମେୟର ଶ୍ରୀ ସୁବାସ ସିଂହ ଉପଢୌକନ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରିଥିଲେ। ପରେ ଲୋକପ୍ରତିନିଧିମାନେ ନିଜ ନିଜ ଅଞ୍ଚଳରେ କାର୍ଯ୍ୟରତ ସ୍ୱଚ୍ଛ କର୍ମୀଙ୍କୁ ସମ୍ମାନିତ କରିଥିଲେ।
କାର୍ଯ୍ୟକ୍ରମରେ ‘ଗରିମା’ ଷ୍ଟେଟ ଟିମରୁ ଶ୍ରୀ ଗଣେଶ ପରିଡ଼ା ଓ ନମସ୍ତେ ଯୋଜନାର ରିସୋର୍ସ ପର୍ସନ୍ ଶ୍ରୀ ଫନୀଭୂଷଣ ତ୍ରିପାଠୀ ଯୋଗଦେଇ ସ୍ୱଚ୍ଛ କର୍ମୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ସାମାଜିକ ସୁରକ୍ଷା ଓ କଲ୍ୟାଣମୂଳକ ସୁବିଧା ସମ୍ପର୍କରେ ସଚେତନ କରିଥିଲେ।
କାର୍ଯ୍ୟକ୍ରମରେ ହେଲ୍ଥ ଓ ସାନିଟେସନ୍ ବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ଦୀପ୍ତିମୟୀ ମୂଳିଆ, ଗ୍ରୀଭାନ୍ସ ଓ ସୋସିଆଲ ଜଷ୍ଟିସ୍ ବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ପ୍ରଳୟା ବେଉରା, ଲାଇସେନ୍ସ ଆଣ୍ଡ ଅପିଲ ବିଭାଗ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ଏ. ଶ୍ରୀଦେବୀ, ୱାର୍କସ ବିଭାଗ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ପ୍ଲାନିଂ ବିଭାଗ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ରାଉତ, କର୍ପୋରେଟର ଶ୍ରୀମତୀ ବନଲତା ପ୍ରଧାନ, ଶ୍ରୀ ଅରବିନ୍ଦ ଜେନା, ଶ୍ରୀମତୀ ପ୍ରିୟମ୍ବଦା ମହାନ୍ତି, ଶ୍ରୀ ଦୀପକ କୁମାର ଦାସ ଏବଂ ସାନିଟେସନ୍ ବିଭାଗର ଡେପୁଟି କମିଶନର ଶ୍ରୀ ଜୁବୁଲି ଚରଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ଉତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା ସମସ୍ତ ସଫେଇ ଓ ସ୍ୱଚ୍ଛ କର୍ମୀଙ୍କ ପାଇଁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ‘ବଡ଼ାଖାନା’। ସହରକୁ ସ୍ୱଚ୍ଛ ରଖିବାରେ ସେମାନଙ୍କ ନିଷ୍ଠା, ପରିଶ୍ରମ ଓ ଅବଦାନ ପ୍ରତି କୃତଜ୍ଞତା ଓ ଆତ୍ମୀୟତା ପ୍ରକାଶ କରିବା ଥିଲା ଏହାର ଉଦ୍ଦେଶ୍ୟ। ଏହାସହ ସ୍ୱଚ୍ଛ କର୍ମୀଙ୍କ ପାଇଁ ମ୍ୟୁଜିକ୍ ଚେୟାର, ରଙ୍ଗୋଲି ସମେତ ବିଭିନ୍ନ ମନୋରଞ୍ଜନମୂଳକ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।
ତିନିଦିନିଆ ଏହି ଉତ୍ସବ ସ୍ୱଚ୍ଛ କର୍ମୀଙ୍କ ପ୍ରତି କେଏମସିର ସମ୍ମାନ ଓ କୃତଜ୍ଞତାର ଏକ ନିଆରା ପ୍ରୟାସ ଭାବେ ପରିଗଣିତ ହୋଇଛି। ସ୍ୱଚ୍ଛ ସହର ଗଠନ କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ସ୍ୱଚ୍ଛ କର୍ମୀ, ଲୋକପ୍ରତିନିଧି ଓ ସହରବାସୀଙ୍କ ସାମୂହିକ ପ୍ରୟାସର ଫଳ। ଏହି ବାର୍ତ୍ତାକୁ ଉତ୍ସବ ମାଧ୍ୟମରେ ଆହୁରି ଦୃଢ଼ କରାଯାଇଛି।
କାର୍ଯ୍ୟକ୍ରମ ଶେଷରେ କେଏମସି ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ ଧନ୍ୟବାଦ ଅର୍ପଣ କରି ସହରକୁ ସ୍ୱଚ୍ଛ ରଖିବାରେ ସ୍ୱଚ୍ଛ ଓ ସଫେଇ କର୍ମୀଙ୍କ ଅବଦାନ ଅମୂଲ୍ୟ ଓ ସ୍ମରଣୀୟ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଉତ୍ସବର ଉଦଯାପନ କରାଯାଇଥିଲା।