
କଟକ, ତା. ୦୮.୧୦.୨୦୨୬ ରିଖ : ଯୁବ ନାଟ୍ୟ ପ୍ରତିଭାଙ୍କୁ ମଞ୍ଚ ପ୍ରଦାନ ଓ ନାଟ୍ୟକଳା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନେତାଜୀ ସଂସ୍କୃତି ଭବନଠାରେ ଆୟୋଜିତ “କଟକ ନାଟ୍ୟୋତ୍ସବ–୨୦୨୬”ର ସେମିଫାଇନାଲ ପର୍ଯ୍ୟାୟ ଆଜି ଉଦଯାପିତ ହୋଇଯାଇଛି । ଚାରିଦିନ ବ୍ୟାପୀ ଚାଲିଥିବା ନାଟ୍ୟୋତ୍ସବରେ ପରିବେଶ ସୁରକ୍ଷା, ନାରୀଶକ୍ତି, କଟକର ଐତିହାସିକ ବାଲିଯାତ୍ରା, ମାନବୀୟ ସମ୍ପର୍କ ଭଳି ବିଭିନ୍ନ ବିଷୟକୁ ନେଇ ପ୍ରସ୍ତୁତ ନାଟକଗୁଡ଼ିକ ଦର୍ଶକଙ୍କ ମନ ଜିଣିଥିଲା। ଉଦଯାପନୀ ଦିବସର ପ୍ରଥମ ପ୍ରଦର୍ଶନରେ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସି ଆଣ୍ଡ ଟେକ୍ନୋଲୋଜି, ସାଲେପୁର ପକ୍ଷରୁ “ଶକ୍ତି ସ୍ୱରୂପିଣୀ” ନାଟକ ନାରୀଶକ୍ତି, ସଂଘର୍ଷକୁ କେନ୍ଦ୍ରକରି ପରିବେଷଣ କରାଯାଇଥିଲା। ପରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ “ଫେରିଆ ବୋଇତ ସପନ ନେଇ” ନାଟକ ପରିବେଷଣ କରାଯାଇଥିଲା ଯାହା କଟକର ଐତିହାସିକ ବାଲିଯାତ୍ରା, ଭାଇଚାରା ଓ ସଂସ୍କୃତିକୁ ନିଖୁଣ ଭାବେ ଉପସ୍ଥାପନ କରିଥିଲେ । ସେହିପରି ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ମା’ର ନିଃସ୍ୱାର୍ଥ ଭଲପାଇବା, ତ୍ୟାଗ, ସ୍ନେହ ଓ ମମତାକୁ ନେଇ ପ୍ରସ୍ତୁତ ବୋଉ ନାଟକ ଦର୍ଶକଙ୍କୁ ଭାବବିହ୍ୱଳ କରିଥିଲା। ଉଦଯାପନୀ ଦିବସର ଶେଷ ପ୍ରଦର୍ଶନରେ ଜେ.କେ.ବି.କେ. ମହାବିଦ୍ୟାଳୟ ପକ୍ଷରୁ ଛବିଟା ସତ ନଥିଲା ନାଟକ ମାଧ୍ୟମରେ ପରିବାର, ସମାଜ ଓ ମଣିଷ ମଧ୍ୟରେ ଥିବା ସମ୍ପର୍କର ଭାବନାତ୍ମକ ଦିଗକୁ ଉପସ୍ଥାପନ କରାଯାଇଥିଲା। ଚାରିଦିନ ଧରି ଚାଲିଥିବା “କଟକ ନାଟ୍ୟୋତ୍ସବ–୨୦୨୬”ରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ନାଟ୍ୟଦଳ ଅଂଶଗ୍ରହଣ କରି ନିଜର ଅଭିନୟ, ନିର୍ଦ୍ଦେଶନା, ସଂଳାପ, ସଙ୍ଗୀତ ଓ ମଞ୍ଚସଜ୍ଜାର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ପର୍ଯ୍ୟାୟରେ ମୋଟ ୧୩ଟି ଦଳ ସେମାନଙ୍କ ନାଟ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ । ନାଟ୍ୟ ବିଶେଷଜ୍ଞ ତଥା ବିଚାରକମଣ୍ଡଳୀଙ୍କ ଦ୍ୱାରା ନାଟକଗୁଡ଼ିକର ମୂଲ୍ୟାୟନ କରାଯାଇ ୧୦ ଟି ଦଳକୁ ପରବର୍ତ୍ତୀ ପର୍ଯ୍ୟାୟକୁ ଚୟନ କରାଯାଇଛି । ଆଜିର ଚୟନ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଡେପୁଟି କଲେକ୍ଟର ସତରୂପା ଶତପଥି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରା, ଉପଖଣ୍ଡ ସୂଚନା ଅଧିକାରୀ ସୋନାଲୀ କୁଣ୍ଡ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନାଙ୍କ ସମେତ ନାଟ୍ୟୋତ୍ସବ କମିଟି ଉପଦେଷ୍ଟା ତଥା ସିନେ ତାରକା ଶ୍ରୀତମ ଦାସ, ନାଟ୍ୟ ପରାମର୍ଶଦାତା ତଥା ବିଚାରକମଣ୍ଡଳୀର ସଦସ୍ୟ ଅନନ୍ତ ଦାଶ, ଦେବୀ ପ୍ରସାଦ ପଟ୍ଟନାୟକ, ବିଶ୍ୱଭୂଷଣ ମହାନ୍ତି, ଉମେଶ ଦାଶ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍, ସନ୍ଦୀପ ପାଣି, ବେବି ପ୍ରଧାନ ଓ ଶ୍ୱେତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଉତ୍ସବ ଯୁବ ନାଟ୍ୟ ପ୍ରତିଭାଙ୍କୁ ନିଜ ସୃଜନଶୀଳତା ପ୍ରଦର୍ଶନ ପାଇଁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିବା ସହ କଟକର ନାଟ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହୋଇଛି ।