ଭର୍ମିକମ୍ପୋଷ୍ଟ ଓ ପ୍ରାକୃତିକ ଚାଷ ଉପରେ ସିଡବ୍ଲ୍ୟୁଏସ୍‌ର ଦିନିକିଆ ତାଲିମ


ରାୟଗଡ଼(ସୁରେନ୍ଦ୍ର କୁମାର ରଥ ) ସେଣ୍ଟର ଫର ୱାର୍ଲଡ ସଲିଡାରିଟି (ସିଡବ୍ଲ୍ୟୁଏସ୍), ଓଡ଼ିଶା ପକ୍ଷରୁ ବ୍ରେଡ୍ ଫର୍ ଦ ୱାର୍ଲଡ୍ (ବିଏଫଡବ୍ଲ୍ୟୁ), ଜର୍ମାନୀର ସହଯୋଗରେ ରାୟଗଡ଼ାସ୍ଥିତ ଏମଆଇଟିଏସ୍‌ର ସ୍କୁଲ୍ ଅଫ୍ ଏଗ୍ରିକଲଚରରେ ଭର୍ମିକମ୍ପୋଷ୍ଟ ଓ ପ୍ରାକୃତିକ ଚାଷ ଉପରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
‘ସ୍ଥାୟୀ କୃଷି ପଦ୍ଧତିର ପ୍ରୋତ୍ସାହନ–ଉନ୍ନତ ମୃତ୍ତିକା ପାଇଁ ଭର୍ମିକମ୍ପୋଷ୍ଟ’ ବିଷୟବସ୍ତୁ ଉପରେ ଆୟୋଜିତ ଏହି ତାଲିମରେ ତିନୋଟି ସ୍ଥାନରୁ ମୋଟ ୨୮ ଜଣ ଚାଷୀ ଓ କମ୍ୟୁନିଟି ରିସୋର୍ସ ପର୍ସନ୍‌ ଅଂଶଗ୍ରହଣ କରିଥିଲେ।
ପ୍ରଥମାର୍ଦ୍ଧ ଅଧିବେଶନରେ ମୃତ୍ତିକା ବିଜ୍ଞାନୀ ତଥା ଏମଆଇଟିଏସ୍‌ର ଡିନ୍‌ ଡ. ଶାନ୍ତନୁ ମହାନ୍ତି ପ୍ରାକୃତିକ ଚାଷର ଗୁରୁତ୍ୱ, ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଭର୍ମିକମ୍ପୋଷ୍ଟ ପ୍ରସ୍ତୁତିର ବୈଜ୍ଞାନିକ ପଦ୍ଧତି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଉଦ୍ଭିଦର ବିକାଶ ପାଇଁ ଆବଶ୍ୟକ ୧୮ଟି ପୋଷକତତ୍ତ୍ୱ ଏବଂ ମୃତ୍ତିକାର ଉର୍ବରତା ବଜାୟ ରଖିବା ନିମନ୍ତେ ରାସାୟନିକ ସାରର ବ୍ୟବହାର କମାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଅପରାହ୍ନ ଅଧିବେଶନରେ ଏମଆଇଟିଏସ୍‌ ସ୍କୁଲ୍ ଅଫ୍ ଏଗ୍ରିକଲଚରର ପ୍ରଫେସର ମଧୁବାବୁ ଏବଂ ଶେଷ ବର୍ଷର ଛାତ୍ରଛାତ୍ରୀମାନେ ଭର୍ମିକମ୍ପୋଷ୍ଟ ଗାତ ପ୍ରସ୍ତୁତି ଓ ରକ୍ଷଣାବେକ୍ଷଣର ବ୍ୟବହାରିକ ତାଲିମ ଦେଇଥିଲେ। ଏଥିସହ ପ୍ରସ୍ତୁତ ଭର୍ମିକମ୍ପୋଷ୍ଟ ସହ ନିମାସ୍ତ୍ର ଓ ବୀଜାମୃତ ଭଳି ବିଭିନ୍ନ ପ୍ରାକୃତିକ ଚାଷ ସାମଗ୍ରୀର ନମୁନା ପ୍ରଦର୍ଶନ କରାଯାଇ ଏହାର ପ୍ରସ୍ତୁତି ଓ ବ୍ୟବହାର ପଦ୍ଧତି ବୁଝାଇ ଦିଆଯାଇଥିଲା।
ତାଲିମରେ ଅଂଶଗ୍ରହଣକାରୀମାନେ ବ୍ୟବହାରିକ ଶିକ୍ଷାକୁ ପ୍ରଶଂସା କରିବା ସହ ନିଜ ଘରେ ଭର୍ମିକମ୍ପୋଷ୍ଟ ୟୁନିଟ୍‌ ସ୍ଥାପନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।
ଓଡ଼ିଶାରେ ସ୍ଥାୟୀ ଓ ପରିବେଶ ଅନୁକୂଳ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଦିଗରେ ସିଡବ୍ଲ୍ୟୁଏସ୍‌ର ଚାଲୁଥିବା ପ୍ରୟାସର ଏହି କାର୍ଯ୍ୟକ୍ରମ ଏକ ଅଂଶ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *