

ପାଲଲହଡା: ଚାରି ମାସର ଦୀର୍ଘ ଆନ୍ଦୋଳନ, ଧାରଣା, ରାଲି ଓ ରାଜପଥ ଅବରୋଧ ପରେ ଶେଷରେ ଜମରଡିହବାସୀଙ୍କ ଦାବିରେ ମୋହର ଲାଗିଛି। ଲୋକଙ୍କ ଅଦମ୍ୟ ଜିଦ୍ ଓ ମହିଳାଙ୍କ ଦୀର୍ଘ ଲଢ଼େଇ ଆଗରେ ନଇଁଛି ସ୍ୱାସ୍ଥ୍ୟ ବିଭାଗ। ଜମରଡିହ ସରକାରୀ ଡାକ୍ତରଖାନାରେ ଆଜି ସରକାରୀ ଆୟୁଷ ଡାକ୍ତର ନିଯୁକ୍ତ ହୋଇଛନ୍ତି। ଏଥିସହ ଡାକ୍ତରଖାନାରେ ପୁଣି ଆରମ୍ଭ ହୋଇଛି ସରକାରୀ ସ୍ୱାସ୍ଥ୍ୟସେବା। ଦୀର୍ଘଦିନର ଦାବି ପୂରଣ ହେବା ପରେ ଜମରଡିହ ଓ ଆଖପାଖ ଅଞ୍ଚଳରେ ଖେଳିଯାଇଛି ଖୁସିର ଲହରୀ।
ପାଲଲହଡା ବ୍ଲକର ଉପାନ୍ତ ଅଞ୍ଚଳ ଜମରଡିହରେ ଥିବା ଏହି ସରକାରୀ ଡାକ୍ତରଖାନାକୁ ପ୍ରାୟ ୭୦ ବର୍ଷ ପୂରିଛି। ଜମରଡିହ ସମେତ ପାଖାପାଖି ୫ଟି ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକଙ୍କ ଚିକିତ୍ସାର ମୁଖ୍ୟ ଭରସା ଥିଲା ଏହି ଡାକ୍ତରଖାନା। କିନ୍ତୁ ଗତ ଜୁନ୍ ୧ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଡାକ୍ତରଖାନାର ପରିଚାଳନା ଏନ୍ଜିଓ ‘ପରିବର୍ତ୍ତନ ସଂସ୍ଥା’କୁ ହସ୍ତାନ୍ତର କରିଥିଲା।
ଏନ୍ଜିଓ ଦ୍ୱାରା ଲୋକଙ୍କୁ ଆଶାନୁରୂପ ସ୍ୱାସ୍ଥ୍ୟସେବା ମିଳୁନଥିବା ଅଭିଯୋଗ ଉଠିବା ପରେ ଉପାନ୍ତ ଅଞ୍ଚଳର ଶତାଧିକ ମହିଳା ଏହାର ତୀବ୍ର ବିରୋଧ କରିଥିଲେ। ‘NGO ହଟାଅ, ଜୀବନ ବଞ୍ଚାଅ’ ନାରା ଦେଇ ମହିଳାମାନେ ଡାକ୍ତରଖାନା ସମ୍ମୁଖରେ ଧାରଣା ଦେବା ସହ ସରକାରୀ ଡାକ୍ତର ନିଯୁକ୍ତି ଓ ସରକାରୀ ବ୍ୟବସ୍ଥାରେ ଡାକ୍ତରଖାନା ପରିଚାଳନା ଦାବି କରିଥିଲେ।
ଆନ୍ଦୋଳନ ତୀବ୍ର ହେବାରୁ ଶେଷରେ ଜୁଲାଇ ୧ ତାରିଖରେ ଏନ୍ଜିଓ ସଂସ୍ଥା ଡାକ୍ତରଖାନାରୁ ଓହରିଯାଇଥିଲା। ହେଲେ ଏହାପରେ ମଧ୍ୟ ସରକାରୀ ବ୍ୟବସ୍ଥାରେ ଡାକ୍ତର ନିଯୁକ୍ତି ନହେବାରୁ ଆନ୍ଦୋଳନ ଥମିନଥିଲା। ଚାରି ମାସ ଧରି ମହିଳାମାନେ ବିଭିନ୍ନ ସମୟରେ ରାଲି, ବିକ୍ଷୋଭ ଓ ଧାରଣା ଦେବା ସହ ଦାବି ପୂରଣ ପାଇଁ ୪୯ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଥିଲେ। ଲୋକଙ୍କ ଜୀବନ ସହ ଜଡ଼ିତ ଏହି ପ୍ରସଙ୍ଗରେ ସରକାର ତୁରନ୍ତ ପଦକ୍ଷେପ ନେଇ ସରକାରୀ ଡାକ୍ତର ନିଯୁକ୍ତ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଆସୁଥିଲେ।
ଏହି ଆନ୍ଦୋଳନକୁ ପାଲଲହଡା ବିଜେଡି ପକ୍ଷରୁ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା। ପୂର୍ବତନ ବିଧାୟକ ମୁକେଶ ପାଳ ଆନ୍ଦୋଳନକାରୀଙ୍କ ସହ ଠିଆ ହୋଇ ସରକାରୀ ଡାକ୍ତର ନିଯୁକ୍ତି ଓ ଡାକ୍ତରଖାନାରେ ସ୍ଥାୟୀ ସରକାରୀ ବ୍ୟବସ୍ଥା ଦାବି କରିଥିଲେ। ଆନ୍ଦୋଳନକାରୀ ମହିଳାମାନେ ମଧ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଥିଲେ।
ଶେଷରେ ଆଜି ଆନ୍ଦୋଳନର ବଡ଼ ବିଜୟ ହୋଇଛି। ଜମରଡିହ ଡାକ୍ତରଖାନାରେ ଜଣେ ସରକାରୀ ଆୟୁଷ ଡାକ୍ତର ଯୋଗଦେଇ ସକାଳୁ ରୋଗୀଙ୍କୁ ଚିକିତ୍ସା ଯୋଗାଇଛନ୍ତି। ଡାକ୍ତରଙ୍କ ଯୋଗଦାନ ଖବର ପାଇ ଶତାଧିକ ମହିଳା ଡାକ୍ତରଖାନାରେ ପହଞ୍ଚି ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିସହ ପୂର୍ବତନ ବିଧାୟକ ମୁକେଶ ପାଳଙ୍କୁ ମଧ୍ୟ ମହିଳାମାନେ ଡାକ୍ତରଖାନାକୁ ପାଛୋଟି ନେଇ ସମ୍ବର୍ଦ୍ଧିତ କରିଥିଲେ।
ଚାରି ମାସର ଲଢ଼େଇ ପରେ ଡାକ୍ତରଖାନାରେ ସରକାରୀ ଡାକ୍ତର ନିଯୁକ୍ତି ହେବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ପ୍ରକାଶ ପାଇଛି। ଦୀର୍ଘଦିନ ଧରି ଚିକିତ୍ସା ସେବା ପାଇଁ ହଇରାଣ ହେଉଥିବା ଉପାନ୍ତ ଅଞ୍ଚଳର ଲୋକେ ଏବେ ନିଜ ଅଞ୍ଚଳରେ ପୁଣି ସରକାରୀ ସ୍ୱାସ୍ଥ୍ୟସେବା ପାଇବାର ଆଶା ରଖିଛନ୍ତି।