
କଟକ : ଆଜି ଗାନ୍ଧି ଭବନ ସ୍ଥିତ ଏକ ସାମ୍ବାଦିକ ସମ୍ମଳନୀରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀ, ବସ୍ତି ନେତା ଦିପକ ଦାସ କହିଛନ୍ତି ଯେ କଟକ ଏକ ବସ୍ତି ପ୍ରବଣ ମହାନଗର ଓ ବସ୍ତିବାସିନ୍ଦା ଶ୍ରମଜୀବି ନାଗରିକ। ମଣିଷ ରହିବା ଭଳି ପରିବେଶ, ଭୂମି ଓ ବାସସ୍ଥାନ ବସ୍ତି ବାସିନ୍ଦାଙ୍କର ଜନ୍ମଜାତ ସାମ୍ବିଧାନିକ ଅଧିକାର। କିନ୍ତୁ କ୍ଷୋଭର ବିଷୟ ଏ ଅଧିକାରକୁ ଅଣଦେଖା କରି ଏପରିକି ସରକାରୀ ଆଇନ ଓ ଦିଶା ନିର୍ଦ୍ଦେଶ ବିରୁଦ୍ଧରେ ଯାଇ ବିଭିନ୍ନ ସମୟରେ ପ୍ରଶାସନ ବସ୍ତି ଉଜାଡ଼ିବା ସହ ବସ୍ତି ବାସିନ୍ଦାଙ୍କୁ ନୃଶଂସ ଭାବେ ବେଘର କରିଦେଉଛି। ଫଳରେ ସେମାନେ ଜୀବିକା ମଧ୍ୟ ହରାଇ ମରଣ ମୁହଁକୁ ଠେଲି ହୋଇ ଯାଉଛନ୍ତି।
ଏହି ପରିପ୍ରେକ୍ଷୀରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସମସ୍ତ ବସ୍ତି ବାସିନ୍ଦାଙ୍କୁ ଅବିଳମ୍ବେ ପଟ୍ଟା ( Land Right) ଦେବା, ଯଥାର୍ଥ ଥଇଥାନ ବିନା ବସ୍ତି ଉଛେଦ ତୁରନ୍ତ ବନ୍ଦ ହେବା, ବସ୍ତି ବାସିନ୍ଦା ଯେମିତି ଜୀବିକା ନହାଇବେ ସେଥିପାଇଁ କର୍ମସ୍ଥଳ ନିକଟରେ ଥଇଥାନ କରିବା, ସମ୍ବିଧାନ ଓ ଆଇନ ଅନୁସାରେ ବସ୍ତି ଗୁଡିକୁ ଓ ବସ୍ତି ବାସିନ୍ଦାଙ୍କୁ ମଣିଷ ରହିବା ଯୋଗ୍ୟ ପରିବେଶ ଦେବା,କଟକ ମହାନଗରର ବସ୍ତି ଓ ବସ୍ତି ବାସିନ୍ଦାଙ୍କ ପୂର୍ଣ୍ଣ ତାଲିକା ସାର୍ବଜନୀନ କରାଯିବା ପ୍ରମୁଖ ଦାବିରେ ଆସନ୍ତା ଅକ୍ଟୋବର ୧୩ରେ ବିଧାସଭା ସମ୍ମୁଖରେ ବିଶାଳ ଶୋଭାଯାତ୍ରା କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୫ ଦଫା ଦାବି ସମ୍ବଳିତ ସ୍ମରକପତ୍ର ଗୃହ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦିଆଯିବ।