
କଟକ ତା ୦୬.୧୦. ୨୦୨୬ ରିଖ କଟକ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଏବଂ ପର୍ଯ୍ୟଟନ ବିଭାଗ ଅଧୀନରେ ଚାଲୁଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା, ଲକ୍ଷ୍ୟପୂରଣ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।
କଟକ ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଗଡ଼ଖାଇର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ମହିଳାମାନଙ୍କ ଦ୍ୱାରା ହୋମ୍ଷ୍ଟେ ଆଦି ପରିଚାଳନା କରାଯାଇ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।
ସମୀକ୍ଷା ପୂର୍ବକ ବୈଠକରେ ମହିଳା ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇ ଜିଲ୍ଲାର ଲକ୍ଷପତି ଦିଦିମାନେ ଯେପରି ଆଗାମୀ ଦିନରେ ଆହୁରି ଉନ୍ନତି କରିପାରିବେ, ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ ଉପମୁଖ୍ୟମନ୍ତ୍ରୀ କହିଥିଲେ। ଜିଲ୍ଲାରେ ବେକେରୀ ୟୁନିଟ୍, ସିଲେଇ ମେସିନ୍ ଓ ଅନ୍ୟାନ୍ୟ ଆତ୍ମନିଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହେଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।
ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସରୋଜ କୁମାର ସ୍ୱାଇଁ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି ଏବଂ ମିଶନ ଶକ୍ତିର ଅତିରିକ୍ତ ସଚିବ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କଟକ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।
ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଓ ଜିଲ୍ଲାର ସାମଗ୍ରିକ ବିକାଶ ସମ୍ପର୍କରେ ମତ ରଖିଥିଲେ। ବୈଠକ ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଡଃ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସ୍ୱାଗତ ପୂର୍ବକ ସମୀକ୍ଷା ବୈଠକ ବିଷୟରେ ସୂଚନା ପ୍ରଦାନ କରିଥିବାବେଳେ କଟକ ମହାନଗର ନିଗମର ଆୟୁକ୍ତ ସୁଶ୍ରୀ କିରଣଦୀପ କୌର ସହୋତା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିନୋଦିନୀ ବେହେରା, ଜିଲ୍ଲା ପ୍ରକଳ୍ପ ପରିଚାଳକ ଓ ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ କୈଳାଶ ଚନ୍ଦ୍ର ସେନାପତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀମତୀ ସତରୂପା ଶତପଥି ଏବଂ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଜାତା ପଟ୍ଟନାୟକ ନିଜ ନିଜ ବିଭାଗର ଯୋଜନା, ଅଗ୍ରଗତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଉପସ୍ଥାପନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଉପଜିଲ୍ଲାପାଳ ଆଠଗଡ଼ ଶ୍ରୀ ଅନିମେଷ ପ୍ରଧାନ, ଉପଜିଲ୍ଲାପାଳ କଟକ ସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଉପଜିଲ୍ଲାପାଳ ବାଙ୍କୀ ଶ୍ରୀମତୀ ମନସ୍ୱିନୀ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସିଡିପିଓମାନେ ଉପସ୍ଥିତ ଥିଲେ।