ଦୁର୍ଗାପୂଜା ପାଇଁ ୨୮ ସେପ୍ଟେମ୍ବରରେ ପୁଣି ଖୋଲିବ ସିଙ୍ଗଲ୍ ୱିଣ୍ଡୋ ସେଲ୍


କଟକ, ୨୫.୦୯.୨୦୨୬: ଆଗାମୀ ଦୁର୍ଗାପୂଜା ଅବସରରେ ପୂଜା କମିଟିଗୁଡ଼ିକୁ ଏନ୍‌ଓସି ପ୍ରଦାନ ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ କାର୍ଯ୍ୟକ୍ଷମ କରାଯାଇଥିବା ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ପୁଣିଥରେ ଖୋଲିବ। କଟକ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶକ୍ରମେ, ବିଭିନ୍ନ ପୂଜା କମିଟିର ଅନୁରୋଧକୁ ବିଚାର କରି ୨୮ ସେପ୍ଟେମ୍ବର ୨୦୨୬ ଦିନ ସିଙ୍ଗଲ୍ ୱିଣ୍ଡୋ ସେଲ୍ ପୁଣିଥରେ କାର୍ଯ୍ୟ କରିବ। ଏହି ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ୍ ପରିସରରେ ପୂଜା କମିଟିଗୁଡ଼ିକର ଏନ୍‌ଓସି ପ୍ରଦାନ ସମ୍ପର୍କିତ ଆବଶ୍ୟକ ପ୍ରକ୍ରିୟା ସମ୍ପାଦନ କରାଯିବ। ଏପର୍ଯ୍ୟନ୍ତ ଆବେଦନ କରିନଥିବା ସମ୍ପୃକ୍ତ ପୂଜା କମିଟିଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି। ବିଭିନ୍ନ ପୂଜା କମିଟିକୁ ପ୍ରୋଭିଜନାଲ୍/ଫାଇନାଲ୍ ଏନ୍‌ଓସି ପ୍ରଦାନକୁ ସୁଗମ କରିବା ଉଦ୍ଦେଶ୍ୟରେ ପୂର୍ବରୁ ୧୮ରୁ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ୍ ପରିସରରେ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟ କରିଥିଲା। ଏଥିରେ ୧୮୧ ପୂଜା କମିଟି ଫର୍ମ ନେଇଥିବାବେଳେ ୧୭୮ ଟି ପୂଜା କମିଟି ଆବେଦନ କରିଥିଲେ । ୨୮ ସେପ୍ଟେମ୍ବର ପରେ ଏହି ସୁବିଧା ପାଇଁ ଆଉ କୌଣସି ସମୟ ବୃଦ୍ଧି କରାଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେଣୁ ସମ୍ପୃକ୍ତ ପୂଜା କମିଟିଗୁଡ଼ିକ ନିର୍ଦ୍ଧାରିତ ଦିନ ଓ ସମୟ ମଧ୍ୟରେ ଏନ୍‌ଓସି ସମ୍ପର୍କିତ ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *