ସ୍ୱଚ୍ଛ କୋରାପୁଟ ପାଇଁ ୩୦୦ ଜଣଙ୍କ ସମୂହ ଉଦ୍ୟମ-ରାଲି, ସଫେଇ ଅଭିଯାନ ସହ ପରିବେଶ ସୁରକ୍ଷା ନେଇ ସଚେତନତା

କୋରାପୁଟ-୦୭.୦୯.୨୦୨୬: ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କୋରାପୁଟରେ ଆଜି ସାମୂହିକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଛି। ପରିବେଶ ସଚେତନତା ଅଭିଯାନ-୨୦୨୬ର ଅଂଶ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କୋରାପୁଟ ଓ କୋରାପୁଟ ପୌରପାଳିକାର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ସକାଳ ୮ଟାରେ କୋରାପୁଟ କଲେକ୍ଟରେଟ୍‌ଠାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ପରିବେଶ ସଚେତନତା ରାଲି ବାହାରିଥିଲା। କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ନାଏକ ଓ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବେଣୁଧର ଶବର ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ ।

ରାଲିରେ ପୌର ପରିଷଦ ସଦସ୍ୟ, ପୌରପାଳିକାର ସ୍ୱଚ୍ଛତା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ପ୍ରଗତି ଏନ୍‌ଜିଓର ପ୍ରତିନିଧି, ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ସ୍ୱଚ୍ଛତା କର୍ମଚାରୀ, ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ସମେତ ପ୍ରାୟ ୩୦୦ ଜଣ ସାମିଲ ହୋଇଥିଲେ।

ରାଲି ପରେ କୋରାପୁଟ ବସ୍‌ଷ୍ଟାଣ୍ଡ ଓ ନିକଟସ୍ଥ ମାର୍କେଟ୍ କମ୍ପ୍ଲେକ୍ସରେ ବ୍ୟାପକ ସଫେଇ କରାଯାଇଥିଲା। ଅଭିଯାନରେ ସାମିଲ ଲୋକେ ନିଜେ ହାତରେ ସଫେଇ କରିବା ସହ ସ୍ୱଚ୍ଛତାକୁ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।

ଏହା ପରେ କୋରାପୁଟ ଟାଉନ୍ ହଲ୍‌ରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନରେଶ ଚନ୍ଦ୍ର ଶବର, ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଶ୍ରୀ ଦୀପେଶ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ।

ଏହି ଅବସରରେ ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର ଏଡ଼ାଇବା, ଉତ୍ସସ୍ଥଳରେ ଓଦା ଓ ଶୁଖିଲା ବର୍ଜ୍ୟ ପୃଥକୀକରଣ, ଘରୋଇ କମ୍ପୋଷ୍ଟ ପ୍ରସ୍ତୁତି ଓ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟ ପରିଚାଳନା ଉପରେ ସଚେତନ କରାଯାଇଥିଲା। ସ୍ୱଚ୍ଛତା କେବଳ ସରକାରୀ ସଂସ୍ଥାର ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କର ମଧ୍ୟ ଦାୟିତ୍ୱ ବୋଲି ବକ୍ତାମାନେ କହିଥିଲେ।

କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ସ୍ୱଚ୍ଛ ରଖିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସ୍ୱଚ୍ଛ ପରିବେଶ ଜନସ୍ୱାସ୍ଥ୍ୟ ସହିତ କୋରାପୁଟର ପର୍ଯ୍ୟଟନ ପରିଚୟକୁ ମଧ୍ୟ ସୁଦୃଢ଼ କରିବ ବୋଲି କୁହାଯାଇଥିଲା।

ଏହି ଅବସରରେ ଏମ୍/ଏସ୍ ଅମାୟରା ଏଣ୍ଟରପ୍ରାଇଜେସ୍‌ର ମାଲିକ ଶ୍ରୀ ଏ.ସି.ମୁନୀରଙ୍କୁ CPCB ପ୍ରମାଣିତ କମ୍ପୋଷ୍ଟେବଲ୍ କ୍ୟାରି ବ୍ୟାଗ୍ ଉତ୍ପାଦନ ମାଧ୍ୟମରେ ପରିବେଶ ସୁରକ୍ଷାରେ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।

ଶେଷରେ ମିଶନ୍ LiFE ପ୍ରତିଜ୍ଞା ପାଠ କରାଯାଇଥିବା ବେଳେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *