ଉଦଳା ତାଲୁକ ଆଇନ୍ ସହାୟତା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ବାରିପଦା/ଉଦଳା, ତା୦୩/୦୯/୨୦୨୬ (କ: ବ୍ଯୁ) ଉଦଳା ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶିଶୁ ନିର୍ଯ୍ୟାତନା ଏବଂ ପୀଡିତାଙ୍କୁ ଆଇନଗତ କ୍ଷତିପୂରଣ ପ୍ରଦାନ, ପୋକ୍ସ ଆଇନ୍ ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଉଦଳା ସରକାରୀ ବାଳିକା ବିଦ୍ୟାଳୟ ଠାରେ ଦିବା ୧୦ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଉଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ତାଲୁକ୍ ଆଇନ ସହାୟତା କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ବେହେରା ଅଧ୍ୟକ୍ଷତା କରି ପୋକ୍ସ ଆଇନର ବିଭିନ୍ନ ଦିଗ ଏବଂ ଶିଶୁ କିଶୋରୀ ନାବାଳିକାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଏବଂ ପୀଡିତାଙ୍କୁ ଦିଆଯାଉଥିବା କ୍ଷତିପୂରଣ ସମ୍ପର୍କରେ ବକ୍ତବ୍ୟ ରଖି ଛାତ୍ରୀମାନଙ୍କୁ ଏଥିରେ ସଚେତନ ହେବାକୁ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ଉଦଳା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଅନୁରାଗ ଦେହୁରୀ ନିଜ ବକ୍ତବ୍ୟ ପକ୍ସୋ ଆଇନ, ତାହାର କାର୍ଯ୍ୟକାରିତା ଏବଂ ପୀଡିତାଙ୍କୁ ଦିଆଯାଉଥିବା ଆଇନଗତ ସାହାଯ୍ୟ, ଅଭିଯୁକ୍ତଙ୍କୁ ଦଣ୍ଡବିଧାନ ଏବଂ କ୍ଷତିପୂରଣ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦଳା ଓକିଲ ସଂଘର ସମ୍ପାଦକ ବସନ୍ତ କୁମାର ପରିଡା, ବରିଷ୍ଠ ଆଇନଜୀବି ମକରନ୍ଦ ପଲେଇ, ରିଟେନର ଆଇନଜୀବି କମଳାକାନ୍ତ ମହାନ୍ତି, ଆଇନଜୀବି ଶାଶ୍ୱତ ତ୍ରିପାଠୀ, ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ବାସନ୍ତୀ ସାହୁ, ମହିଳା ଆଇନଜୀବି ହରପ୍ରିୟା ହାଁସଦା ପ୍ରମୁଖ ପକ୍ସୋ ଆଇନ ଏବଂ ନ୍ୟାୟ ପ୍ରଦାନ ସମ୍ପର୍କରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିବା ସହିତ ଏ ଦିଗରେ ସଚେତନ ହେବା ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଚାର ବିଭାଗୀୟ କର୍ମଚାରୀ ତଥା ତାଲୁକ୍ ଆଇନ୍ ସେବା କମିଟି ଦାୟିତ୍ୱରେ ଥିବା ସନତ କୁମାର ସେଠୀ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *