ସୁଭଦ୍ରା ୫ କିସ୍ତି ଅର୍ଥ ପ୍ରଦାନ

ପୁରୀ ଜିଲ୍ଲାର ୪୨୨୧୧୨ ହିତାଧିକାରୀ ଉପକୃତ।

ମହିଳା ସଶକ୍ତ ହେଲେ ସମାଜ ସୁଦୃଢ଼ ହେବ: ରାଜସ୍ୱ ମନ୍ତ୍ରୀ

ପୁରୀ ୨୮/୮ (କ ବ୍ୟୁ): ମହିଳା ସଶକ୍ତ ହେଲେ ସମାଜ ସୁଦୃଢ ଓ ସଶକ୍ତ ହେବ।ସୁଭଦ୍ରା ଯୋଜନା ଆଜି ଜନ ଜାଗରଣ ରେ ପରିଣତ ହୋଇଛି।ସୁଭଦ୍ରା ମାଧ୍ୟମରେ ପରିବାର ଓ ସମାଜ ରେ ନାରୀ ମାନଙ୍କ ସମ୍ମାନ ଓ ପ୍ରତିଷ୍ଠା କେବଳ ବୃଦ୍ଧି ପାଇନାହିଁ, ବରଂ ଆର୍ଥିକ ମାନଦଣ୍ଡ ରେ ସେମାନଙ୍କ ଭାଗିଦାରୀ ବଢିଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଟାଉନ ହଲ ଠାରେ ପୁରୀ ଜିଲ୍ଲା ସ୍ତରୀୟ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା।ଏଥରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ ପୂର୍ବରୁ ନାରୀ ମାନଙ୍କର କେବଳ ଘରେ କାମ କରିବା ଦାୟିତ୍ୱ ବୋଲି ବିବେଚନା କରାଯାଉଥିଲା।ତେବେ ନାରୀଟିଏ ଯେ ସବୁ କାମ କରିପାରେ, ତାଙ୍କ ପରିବାର,ରାଜ୍ୟ ଓ ଦେଶର ଆର୍ଥିକ ବିକାଶ ରେ ସହଭାଗୀ ହୋଇ ପାରେ ଏହା ସୁଭଦ୍ରା ର ଏକ ବଳିଷ୍ଠ ପରିଚୟ ଦେଇପାରିଛି।ଆଜି ସୁଭଦ୍ରା ପ୍ରତ୍ୟେକ ନାରୀ ମାନଙ୍କୁ ସ୍ବାଭିମାନ, ସ୍ବାବଲମ୍ବନ ଓ ସମ୍ମାନ ର ସୁଯୋଗ ଦେଇଛି ବୋଲି କହିଥିଲେ।ଆମ ସମାଜ ମାତୃକୈନ୍ଦ୍ରିକ ସମାଜ।ପୁରାଣ ର ପଞ୍ଚ କନ୍ୟା ଙ୍କ ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ଯେଉଁ ସମାଜ ନାରୀଙ୍କୁ ଉପଯୁକ୍ତ ସମ୍ମାନ ଦେଇଥାଏ ସେ ସମାଜ ସେତେ ଶୃଙ୍ଖଳିତ ଓ ସୁଦୃଢ ହୋଇଥାଏ।ଆମ ରାଜ୍ୟ ସମଗ୍ର ଭାରତ ବର୍ଷ ରେ ସର୍ବାଧିକ ୨୨ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ଅଗ୍ରଣୀ ରାଜ୍ୟ ଭାବେ ସୁନାମ ଅର୍ଜନ କରିଛି।୨୦୩୬ ମସିହା ଆମ ରାଜ୍ୟ କୁ ଏକଶତ ବର୍ଷ ପୂର୍ତ୍ତି ଓ
୨୦୪୭ ଆମ ସ୍ବାଧୀନତା ର ୧୦୦ ବର୍ଷ ପୂର୍ତ୍ତି ହେବ।ଏହି ଅବସରରେ ଏକ ବିକଶିତ ଓ ସମୃଦ୍ଧ ରାଜ୍ୟ ଓ ଦେଶ ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।ଅନ୍ୟତମ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇ ସୁଭଦ୍ରା ଯୋଜନା ମହିଳା ମାନଙ୍କ ଆତ୍ମବିଶ୍ବାସ ବଢାଇବା ସହ ପରିବାର ର ଆର୍ଥିକ ସ୍ଥିତି କୁ ମଜବୁତ କରିପାରିଛି ବୋଲି କହିବା ସହ ପ୍ରତ୍ୟେକ ହିତାଧିକାରୀ ଏହି ଅର୍ଥ ର ସଦୁପଯୋଗ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିବାକୁ ଆହ୍ୱାନ ଦେଇଥିଲେ।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି,ଉପ ଜିଲ୍ଲାପାଳ ରାଜକିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟ କୁ ପାଞ୍ଚ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା।ପରେ ୫ ଜଣ ମହିଳା ଙ୍କୁ ପ୍ରତୀକାତ୍ମକ ଭାବେ ସୁଭଦ୍ରା ର ପଞ୍ଚମ କିସ୍ତି ର ଚେକ ପ୍ରଦାନ କରାଯାଇଥିଲା।ଏହି ଅବସରରେ ୩ ଜଣ ସଫଳ ସୁଭଦ୍ରା ହିତାଧିକାରୀ ତାଙ୍କ ସଫଳତାର କାହାଣୀ ର ବର୍ଣ୍ଣନା କରିଥିଲେ।ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତ ଅତିଥି ମାନଙ୍କ ହାତରେ ରାକ୍ଷୀ ବନ୍ଧନ କରାଯାଇଥିଲା।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ସଭା କାର୍ଯ୍ୟ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ସୂଚନା ଯୋଗ୍ୟ ଯେ ପୁରୀ ଜିଲ୍ଲା ରେ ପ୍ରଥମ କିସ୍ତିରେ ୪୩୬୫୮୩, ଦ୍ୱିତୀୟ କିସ୍ତି ରେ ୪୨୫୫୫୯,ତୃତୀୟ କିସ୍ତି ରେ ୪୨୫୫୭୩ ଓ ଚତୁର୍ଥ କିସ୍ତି ରେ ୪୨୦୮୫୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି।(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *