ଧର୍ମଶାଳାରେ ବଡଚଣା ପୋଲିସକୁ ମାଡ ଓ ପୋଲିସ ଗାଡି ଭାଙ୍ଗି ଅପହରଣ କାରୀକୁ ଛଡାଇ ନେବା ଘଟଣା : ୭ଦିନ ପରେବି କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଜିଲ୍ଲା ପୋଲିସ ଶିଥିଳ : ଲୋକଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ ।

ଚଣ୍ଡିଖୋଲ,: ଯାଜପୁର ଜିଲ୍ଲାର ଧର୍ମଶାଳାରେ ବଡଚଣା ଥାନା ପୋଲିସକୁ ମରଣନ୍ତକ ଆକ୍ରମଣ ଓ ପୋଲିସ ଗାଡି ଭଙ୍ଗାରୁଜା କରି ଅପହରଣ କାରୀକୁ ଛଡାଇନେବା ଘଟଣାକୁ ଇତିମଧ୍ୟରେ ୭ଦିନ ବିତିଯାଇଛି। ନିସ୍ତୁକ ମାଡଖାଇ ଉକ୍ତ ମାମଲାର ତଦନ୍ତ ଅଧିକାରୀଙ୍କ ସହ ୫ଜଣ ପୋଲିସ କର୍ମଚାରୀ ଲହୁଲୁହାଣ ହୋଇଥିଲେ ମଧ୍ୟ ଏହି ଅରାଜକତା କାଣ୍ଡ ଭିଆଇଥିବା ଆକ୍ରମଣକାରୀଙ୍କ ବିରୁଦ୍ଧରେ ଅଦ୍ୟାବଧି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ପାରିନାହିଁ। ଗତ ୭ ଦିନ ପୂର୍ବରୁ ସଂପୃକ୍ତ ଦୁଇଜଣ ମହିଳାଙ୍କ ସହ ତିନିଜଣକୁ ପୋଲିସ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ମାନଙ୍କୁ ଗିରଫ କରିବାରେ ଜିଲ୍ଲା ପୋଲିସ ଶିଥିଳତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ପୋଲସକୁ ଆକ୍ରମଣ,ମାଡମାରିବା ସହିତ ପୋଲିସ ଗାଡି ଭାଙ୍ଗି ଅପହରଣ କାରୀକୁ ଛଡାଇନେବା ଘଟଣାରେ ସିଧାସଳଖ ୧୦ ଜଣଙ୍କ ନାମ ସହ ଅନେକ ଲୋକଙ୍କ ସଂପୃକ୍ତି ଥିବା ଦର୍ଶାଇ ଜେନାପୁର ଥାନାରେ ବଡଚଣା ଥାନାର ଆହତ ଏଏସଆଇ ସୁବ୍ରତ ପ୍ରଧାନ ଏତଲା ଦେଇଥିଲେ। ହେଲେ ଘଟଣା ପରଦିନ ପୋଲିସ ସେଥିରୁ ମାତ୍ର ତିନି ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ସେପରି ବ୍ୟଗ୍ରତା ପ୍ରକାଶ କରୁନଥିବା ପରିଲକ୍ଷିତ ହୋଇଛି। ଜିଲ୍ଲାରେ ପୂର୍ବରୁ ଘଟିଥିବା ବିଭିନ୍ନ ଅପରାଧିକ ମାମଲାର ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବଛାବଛା ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରାଯାଇ ଥିବାର ନଜିର ଥିଲାବେଳେ ଉକ୍ତ ସମ୍ବେଦନଶୀଳ ଘଟଣାରେ ଅଦ୍ୟାବଧି କୌଣସି ସ୍ୱତନ୍ତ୍ର ଟିମ ଗଠିତ ହୋଇନଥିବା ଜଣାପଡିଛି। ଅଭିଯୁକ୍ତ ମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରିବା ସମ୍ଭବ ହେଉନାହିଁ ବୋଲି ସଫେଇ ଦେଇ ଜିଲ୍ଲା ଓ ସ୍ଥାନୀୟ ପୋଲିସ ଅଧିକାରୀମାନେ ଚୁପହୋଇ ବସିଥିବା ଚର୍ଚ୍ଚା ହେଉଛି। ତେବେ ଅପରାଧୀକୁ ଧରିବା ସମୟରେ ପୋଲିସ ବାହିନୀ ଉପରେ ମରଣନ୍ତକ ଆକ୍ରମଣ, ଗାଡି ଭଙ୍ଗାରୁଜା ଓ ସଂଘବଦ୍ଧ ହମଲା କରି ପୋଲିସ କବଳରୁ ଅପରାଧୀକୁ ଛଡାଇନେ ପୋଲିସ ଓ ଶାସନ ବ୍ୟବସ୍ଥାକୁ ସିଧାସଳଖ ଚାଲେଞ୍ଜ କଲାପରି ଘଟଣାରେ ଜଦି କାର୍ଯ୍ୟାନୁଷ୍ଠାନ ଶିଥିଳ ହୁଏ ତେବେ ଆଉ କେଉଁ ପରି ମାମଲାରେ ପୋଲିସ ବ୍ୟଗ୍ରତା ପ୍ରକାଶ କରିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହୋଇଛି। ଯେଉଁ ଠାରେ ଖୋଦ ପୋଲିସ ବାହିନୀ ସୁରକ୍ଷିତ ନୁହନ୍ତି ସେଠାରେ ସାଧାରଣ ଲୋକଟିଏ କିପରି ସୁରକ୍ଷିତ ରହିବ ଓ ପୋଲିସ ଠାରୁ ଜନତା କିପରି ଉଚିତ ନ୍ୟାୟ ପାଇବେ ତାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି। ଜେନାପୁର ଥାନା ପନ୍ତୁରୀ ଗ୍ରାମର କାହ୍ନା ଦଳେଇ ଗତ ମେ ମାସରେ ବଡଚଣା ଥାନା ଅନ୍ତର୍ଗତ ଦଳେଇ ସାହିର ଜଣେ ଅପ୍ରାପ୍ତ ବୟସ୍କ ଯୁବତୀଙ୍କୁ ଅପହରଣ କରି ନେଇଥିଲେ। ସେହି ଘଟଣାକୁ ନେଇ ବଡଚଣା ଥାନାରେ ୧୫୯/୨୬ରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ କାହ୍ନା ଉକ୍ତ ଝିଅ ସହିତ ପନ୍ତୁରୀ ଗ୍ରାମରେ ଆତ୍ମ ଗୋପନ କରିଥିବା ଖବର ପାଇ ଉକ୍ତ ମାମଲାର ତଦନ୍ତ କରୁଥିବା ବଡଚଣା ଥାନା ଏଏସଆଇ ସୁବ୍ରତ ପ୍ରଧାନ ଓ କଳ୍ପନା ନାୟକଙ୍କ ସହ ଏକ ପୋଲିସ ଟିମ ଜେନାପୁର ଥାନା ପୋଲିସ ସହାୟତାରେ ଗତ ମଙ୍ଗଳବାର ରାତିରେ ପନ୍ତୁରୀ ଗ୍ରାମରେ ଚଢାଉ କରି ଅଭିଯୁକ୍ତ କାହ୍ନା ଓ ଅପହରଣ ହୋଇଥିବା ନାବାଳିକାକୁ ଧରିଥିଲେ। ସେତିକି ବେଳେ ପୋଲିସ ଉପରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିଲା ଓ ବଡଚଣା ଥାନାର ୫ଜଣ ପୋଲିସ ଗୁରୁତର ଆହତ ହୋଇଥିଲେ। ପରେ ଆହତ ଏଏସଆଇ ସୁବ୍ରତ ପ୍ରଧାନଙ୍କ ଏତଲା କ୍ରମେ ଜେନାପୁର ଥାନାରେ ୨୩୫/୨୬ରେ ଏକ ମାମଲା ରୁଜୁ ହୋଇଥିଲା। ଏ ସମ୍ପର୍କରେ ମତାମତ ଗ୍ରହଣ ପାଇଁ ଯାଜପୁର ଏସପି ଓ ଜେନାପୁର ଥାନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବାରମ୍ବାର ଫୋନ କରାଯାଇଥିଲେ ମଧ୍ୟ ସେମାନେ କଲ ରିସିଭ କରିନଥିଲେ।

Leave a Reply

Your email address will not be published. Required fields are marked *