
କଟକ, ୨୧ ଅଗଷ୍ଟ ୨୦୨୬: ବିପର୍ଯ୍ୟୟ ସମସ୍ତଙ୍କୁ ସମାନ ଭାବରେ ପ୍ରଭାବିତ କରେ ନାହିଁ। ମହିଳା, ଶିଶୁ, ବୟସ୍କ, ଦିବ୍ୟାଙ୍ଗ ଏବଂ ସମାଜର ଅନ୍ୟାନ୍ୟ ଦୁର୍ବଳ ବର୍ଗ ବିପର୍ଯ୍ୟୟ ସମୟରେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା, ଉଦ୍ଧାର, ରିଲିଫ୍ ଓ ସ୍ଥାନାନ୍ତରଣ ପ୍ରକ୍ରିୟାରେ ସମାଜର ପ୍ରତ୍ୟେକ ବର୍ଗର ଆବଶ୍ୟକତାକୁ ସାମିଲ କରିବା ଅତ୍ୟନ୍ତ ଜରୁରୀ। ସ୍ଥାନୀୟ ସହିଦ ଭବନରେ ଆୟୋଜିତ ବିପର୍ଯ୍ୟୟ ପ୍ରଶମନ ସମ୍ଵନ୍ଧୀୟ ବିଶେଷ କର୍ମଶାଳାରେ ଏହି ମତ ପ୍ରକାଶ ପାଇଛି।
କଟକ ମହାନଗର ନିଗମ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓସଡମା)ର ମିଳିତ ଆନୁକୂଲ୍ୟରେ ‘ବିପର୍ଯ୍ୟୟ ପ୍ରଶମନରେ ଲିଙ୍ଗଗତ ଓ ସାମାଜିକ ଅନ୍ତର୍ଭୁକ୍ତିକରଣ’ ବିଷୟ ଉପରେ ଏକ ସ୍ଵତନ୍ତ୍ର କର୍ମଶାଳା ଆୟୋଜିତ ହୋଇଥିଲା। କେଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିପର୍ଯ୍ୟୟ ସବୁବେଳେ ଆକସ୍ମିତ ହୋଇଥାଏ। ତେଣୁ ଆମେ ଏହାର ମୁକାବିଲା ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ। ବିଶେଷକରି ନାଗରିକମାନେ ବିପର୍ଯ୍ୟୟ ମୁକାବିଲାର କୌଶଳ ଜାଣିଲେ ନିଜ ଆଖ ପାଖ ଲୋକଙ୍କୁ ବିପଦ ସମୟରେ ରକ୍ଷା କରିପାରିବା ବୋଲି ସେ ଉଲ୍ଲେଖ କରିଥିଲେ।
ଓସଡମା ପକ୍ଷରୁ ଜେଣ୍ଡର ସ୍ପେଶାଲିଷ୍ଟ ଶ୍ରୀ ଆରଣ୍ୟକ ମିଶ୍ର ଏବଂ ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ସୁବୋଧ ନାୟକ ଏହି କର୍ମଶାଳାରେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଲିଙ୍ଗଗତ ଏବଂ ସାମାଜିକ ସମାବେଶୀକରଣ ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ। ବିଶେଷକରି ମହିଳାମାନଙ୍କୁ ଉଦ୍ଧାରକାରୀ ଦଳରେ ନିୟୋଜିତ କରିବା ଉପରେ ଆଗାମୀ ଦିନରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ବୋଲି ସେମାନେ ଦର୍ଶାଇଥିଲେ। ଫଳରେ ଉଦ୍ଧାର ସମୟରେ ମହିଳାମାନଙ୍କ ସୁରକ୍ଷା ଏବଂ ଗୋପନୀୟତାକୁ ଗୁରୁତ୍ଵ ଦିଆଯାଇପାରିବ।
ଏହି କର୍ମଶାଳାରେ କେଏମସିର ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ଓ୍ଵାର୍କ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ସାଂସ୍କୃତିକ ଓ ଚିତ୍ତବିନୋଦନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ମୋନାଲିସା ଦାସ, ସ୍ଵାସ୍ଥ୍ୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ମୁଳିଆ, ଜନଶୁଣାଣୀ ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ପ୍ରଳୟା ବେଉରା ଓ କମିଟିର ସଦସ୍ୟଗଣ, କେଏମସିର ଅତିରିକ୍ତ କମିଶନର ଶ୍ରୀ କଳ୍ପତରୁ ବେହେରା, ନଗର ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀଙ୍କ ସମେତ ପ୍ରମୁଖ ଅଧିକାରୀ, କର୍ମଚାରୀ ଏବଂ ତୃତୀୟଲିଙ୍ଗୀ ବର୍ଗର ନାଗରିକମାନେ ଉପସ୍ଥିତ ଥିଲେ। କେଏମସି ଜରୁରୀକାଳୀନ ବିଭାଗର ଡେପୁଟି କମିଶନର ଶ୍ରୀମତୀ ଶ୍ରଦ୍ଧାରଞ୍ଜନା ଗ୍ରହାଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।