ପାରାଦୀପ ପୋର୍ଟ ବଣିକ ସଂଘରେ ବିବାଦ

ପାରାଦୀପ : ସାଧାରଣ ବୈଠକରେ ଉତ୍ତେଜନା, ଥାନା ଯାଏଁ ଗଲା କଥା, ୨ ବର୍ଷର ହିସାବ ଓ ନିର୍ବାଚନ ଦାବି କଲେ ବ୍ୟବସାୟୀ ପାରାଦୀପ ପୋର୍ଟ ବଣିକ ସଂଘ ଭିତରେ ଗୁରୁତର ବିବାଦ ଓ ଅସନ୍ତୋଷ ସାମ୍ନାକୁ ଆସିଛି। ନିକଟରେ ଅନୁଷ୍ଠିତ ସାଧାରଣ ବୈଠକରେ ବ୍ୟାପକ ଉତ୍ତେଜନା, ହୋହଲ୍ଲା ଓ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା। ଘଟଣା ଏତିକିରେ ନଥମି ଶେଷରେ ଆଦର୍ଶ ଥାନା ପର୍ଯ୍ୟନ୍ତ ପହଞ୍ଚିଛି। ସଂଘର ସଭାପତି ଓ ସମ୍ପାଦକଙ୍କ ତରଫରୁ ଥାନାରେ ଏତଲା ଦିଆଯିବା ପରେ ଏବେ ମୁହଁ ଖୋଲିଛନ୍ତି ସାଧାରଣ ବ୍ୟବସାୟୀ।
​ବ୍ୟବସାୟୀମାନଙ୍କ ଅଭିଯୋଗ ଅନୁଯାୟୀ, ଗତ ୨ ବର୍ଷ ହେବ ସଂଘର ଆୟ-ବ୍ୟୟର କୌଣସି ସଠିକ୍ ହିସାବ ସଭାପତି କିମ୍ବା କର୍ମକର୍ତ୍ତା ପ୍ରଦାନ କରୁନାହାନ୍ତି। ସଂଘରେ ସ୍ୱଚ୍ଛତା ଓ ଗଣତାନ୍ତ୍ରିକ ବ୍ୟବସ୍ଥା କାୟମ ରଖିବା ପାଇଁ ମନୋନୀତ ବଦଳରେ ତୁରନ୍ତ ସୁସଂସ୍ଥାପିତ ନିର୍ବାଚନ ମାଧ୍ୟମରେ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଚୟନ କରାଯାଉ ବୋଲି ବଣିକ ସଂଘର ସଦସ୍ୟମାନେ ଦାବି କରିଛନ୍ତି।
​ପ୍ରଶାସନିକ ହସ୍ତକ୍ଷେପ ଓ ନ୍ୟାୟ ପ୍ରଦାନର ଆବଶ୍ୟକତା:ଏହି ସଂଘ ପାରାଦୀପର ବ୍ୟବସାୟିକ ଅଭିବୃଦ୍ଧି ଓ ସ୍ଥାନୀୟ ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଗଠନ ହୋଇଥିଲା। ମାତ୍ର ଦାୟିତ୍ୱରେ ଥିବା ନେତୃତ୍ୱ ନିଜର ଆଞ୍ଚଳିକ ଓ ଆର୍ଥିକ ଦାୟିତ୍ୱବୋଧରୁ ଓହରିଯିବା ସହ ପାରଦର୍ଶିତା ନରଖିବା ସମଗ୍ର ବ୍ୟବସାୟିକ ପରିବେଶକୁ କ୍ଷତିଗ୍ରସ୍ତ କରୁଛି। ଥାନାରେ ଦାୟର ମାମଲାକୁ ନେଇ ବ୍ୟବସାୟୀମାନେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। ସେମାନଙ୍କ ଆଶା, ପୋଲିସ ନିରପେକ୍ଷ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବ।​ଅନ୍ୟପଟେ, ବ୍ୟବସାୟୀମାନେ ଅନୁରୋଧ କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ଏହି ମାମଲାକୁ ଅତି ଗୁରୁତ୍ୱର ସହ ନେଇ ସଂଘର ସମ୍ପତ୍ତି ଓ ଆର୍ଥିକ କାରବାରର ନିରପେକ୍ଷ ଅଡିଟ୍‌ କରାନ୍ତୁ। ଯେଉଁମାନେ ଆଗାମୀ ଦିନରେ ଦାୟିତ୍ୱରେ ରହିବେ, ସେମାନେ ଯେପରି ସଠିକ୍‌ ଓ ନିଷ୍ଠାର ସହ କାର୍ଯ୍ୟ କରିବେ ଏବଂ ବ୍ୟବସାୟୀଙ୍କୁ ସଠିକ୍‌ ନ୍ୟାୟ ମିଳିବ, ତାହା ନିଶ୍ଚିତ ହେବା ଜରୁରୀ।

ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ

Leave a Reply

Your email address will not be published. Required fields are marked *