

କଟକ : ସମ୍ପୂର୍ଣ୍ଣ କ୍ରାନ୍ତି ଚିନ୍ତା ଧାରାର ବ୍ୟକ୍ତିତ୍ଵ ହେଉଛନ୍ତି ରବି ରାୟ। ଏକ ଶୋଷଣ ମୁକ୍ତ ସମାଜ ଗଠନ, ଅନ୍ୟାୟ,ଅବିଚାର ବିରୁଦ୍ଧରେ ସେ ଆଜୀବନ ସଂଗ୍ରାମ କରିଆସିଛନ୍ତି। କୃଷକ ଆନ୍ଦୋଳନ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନର ନେତୃତ୍ୱ ନେଇ ଆସିଥିଲେ। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଆଦର୍ଶ ଓ ନୀତି କୁ ଅନୁକରଣ କରି ସେ ସମ୍ପୂର୍ଣ୍ଣ କ୍ରାନ୍ତିର ନେତୃତ୍ୱ ନେଇଥିଲେ। ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି କାରାବରଣ କରିଥିଲେ। ଲୋକସଭାର ବାଚସ୍ପତି ଥିଲା ବେଳେ ସେ ସୁଚାରୁ ରୂପେ ତାଙ୍କର ଦାୟିତ୍ୱ ପାଳନ କରିଥିଲେ, ଯାହାକି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ରବି ରାୟ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ,ପ୍ରବୀଣ ରାଜନୀତିଜ୍ଞ ଏବଂ ସମାଜ ସେବୀ ବୋଲି ବହୁ ବିଶିଷ୍ଟ ଅତିଥି ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତଥା ଲୋକସଭାର ପ୍ରାକ୍ତନ ବାଚସ୍ପତି କଳିଙ୍ଗ ରତ୍ନ ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ପ୍ରକାଶ କରିଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ଶନିବାର ଦିନ ତୁଳସୀପୁର ସ୍ଥିତ ସାରଳା ଭବନ ଠାରେ ପ୍ରାକ୍ତନ ବାଚସ୍ପତି ରବି ରାୟଙ୍କ ଶତବାର୍ଷିକୀ ଉତ୍ସବ ଇଞ୍ଜିନିୟର ପ୍ରଭାକର ସ୍ୱାଇଁ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମାଜସେବୀ ରଞ୍ଜନ କୁମାର ବିଶ୍ୱାଳ ଓ ଲୋକପ୍ରିୟ ସମାଜ ସେବୀ ଶ୍ରୀମତୀ ବିନି ଷଡ଼ଙ୍ଗୀ ଙ୍କୁ ରବି ରାୟ ସମ୍ମାନ ପ୍ରଦାନ କରାଯାଇଛି। ପଦ୍ମ ଶ୍ରୀ ପ୍ରଫେସର୍ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟକ ଜଷ୍ଟିସ ବିମଳ ପ୍ରସାଦ ଦାସ ମୁଖ୍ୟ ବକ୍ତା, ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ବିଶିଷ୍ଟ ଅତିଥି ଏବଂ ସମାଜସେବୀ ଚିତ୍ତରଞ୍ଜନ ମହାନ୍ତି,ପୂର୍ବତନ ଶାସନ ସଚିବ ସହଦେବ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରବି ରାୟ ଙ୍କର ରାଜନୀତି ଜୀବନର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରି କହିଲେ ରବି ରାୟ ସାମ୍ୟବାଦୀ ଚିନ୍ତାଧାରାର ଏକ ଅମ୍ଳାନ ବ୍ଯକ୍ତିତ୍ବ। କେବଳ ଓଡ଼ିଶା ରାଜନୀତି ନୁହେଁ, ଭାରତ ରାଜନୀତି ଇତିହାସରେ ତାଙ୍କର ନାମ ଚିରସ୍ମରଣୀୟ ହୋଇ ରହିବ। ପ୍ରାରମ୍ଭରେ ନାଟ୍ୟକାର ସଞ୍ଜିତ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡକ୍ଟର ନିରଞ୍ଜନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ।