ଗୁଳିକାଣ୍ଡ ଘଟଣାରେ ନୂଆ ମୋଡ଼: ଫେରାର ଅଭିଯୁକ୍ତକୁ ଅପହରଣ କରି ନିର୍ଧୁମ ମାଡ଼, ୬ ଗିରଫ

ରାଜଗାଙ୍ଗପୁର (କ.ବ୍ୟୁ) ୧୮/୦୭/୨୬ : କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଗତ ୯ ତାରିଖରେ ଏକ ଚିପ୍ସ ବୋଝେଇ ହାଇୱା ଉପରକୁ ୫ ରାଉଣ୍ଡ ଗୁଳି ଚଳାଇବା ଘଟଣାରେ ସମ୍ପୃକ୍ତ ଥିବା ଯୁବକ ଏମ୍‌ଡି. ସନି (୨୧)ଙ୍କୁ କିଛି ଯୁବକ ମାଡ଼ ମାରିଥିଲେ ।ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସର ସୂଚନାନୁସାରେ, ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ସନି ଶୁକ୍ରବାର ବେଦବ୍ୟାସ ଅଞ୍ଚଳରେ ବୁଲୁଥିବା ବେଳେ ୬ ଜଣ ଯୁବକ ତାଙ୍କୁ ଧରି ମାଡ଼ ମାରିଥିଲେ I ପରେ ସେମାନେ ତାଙ୍କୁ ନିଜ ସହ ନେଇ ଯଉଥିବା ବେଳେ ଜାମପାଲି ଅଞ୍ଚଳରେ ପୁଲିସ୍‌ର ଯାଞ୍ଚ ଚାଲିଥିବା ଦେଖୁ ସନିଙ୍କୁ ସେଠାରେ ଛଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୂଚନା ପାଇ ପୁଲିସ ତୁରନ୍ତ ତଦନ୍ତ କରି ସନିଙ୍କୁ ମାଡ଼ ମାରିଥିବା ୬ ଜଣଙ୍କୁ ଗିରଫ କରିଥିଲା । ଗିରଫ ଯୁବକମାନେ ହେଲେ ମଞ୍ଜିତ ଲେହେରି (୩୮), ନିଖିଲ ଲେହେରି (୨୮), ବିଶେନ୍ଦ୍ର ଲେହେରି (୨୪), ରେହିତ ଲେହେରି (୧୯), ସଞ୍ଜୀବ ବରୁଆ (୨୨) ଓ ସାବନ ଲେହେରି (୨୧)। ଅନ୍ୟପକ୍ଷରେ ସନ୍ନିଙ୍କୁ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଲିଟିବେଡ଼ା ଜଙ୍ଗଲ ନିକଟରେ ଚିପ୍ସ ବୋଝେଇ ହାଇୱା ଉପରକୁ ହୋଇଥିଲା ଗୁଳି। ଏହି ଘଟଣାରେ ମୋଟ ୫ ଜଣ ଅଭିଯୁକ୍ତଙ୍କ ନାମ ସମ୍ନାକୁ ଆସିଥିବା ବେଳେ ପୁଲିସ ୨ ଜଣଙ୍କୁ ଗିରଫ କରି ସାରିଛି ।
ଗୁରୁତର ଭାବେ ଆହତ ହୋଇଥିବା ମହମ୍ମଦ ସନିକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମେ ଗୁଳିକାଣ୍ଡ, ତା’ପରେ ପୁଲିସକୁ ଚକମା ଏବଂ ଶେଷରେ ଅପହରଣ ଓ ମାଡ଼ପିଟ୍‌ ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉଭୟ ପକ୍ଷ ମଧ୍ୟରେ ଏବେ ଛକ୍କାପଞ୍ଝା ଜାରି ରହିଛି।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *